ଯାଜପୁରର ସ୍କୁଲ ହତା ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରେମ ପାଇଁ ପ୍ରେମିକ କଥାରେ ପଡି ଘରୁ ଗୋଡ଼ ବାହାର କରିଥିଲେ ଛାତ୍ରୀ। ପରିବାରର ବିରୋଧ ଯୋଗୁଁ ଉଭୟ ପ୍ରେମିକ ପ୍ରେମିକା ନିଷ୍ପତ୍ତି ନେଲେ ଆତ୍ମହତ୍ୟାର ରାସ୍ତା। କିନ୍ତୁ ସ୍କୁଲ ହତା ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ପରେ ଆଜି ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏକମାତ୍ର ଝିଅର ମୃତ୍ୟୁ ଖବର ପାଇବା ପରେ ପାଗେଳି ପ୍ରାୟ ମା। ମୋ ଝିଅ ସ୍କୁଲକୁ ଯାଇଛି ସେ ଆସିଲେ ଖାଇବ। ମୁଁ ଯାଉଛି ରୋଷେଇ କରିବି।କେତେବେଳେ ହସୁଛି ତ ଆଉ କେତେବେଳେ କାନ୍ଦି କାନ୍ଦି ଚେତା ଶୂନ୍ଯ ହୋଇଯାଉଛି। ସ୍କୁଲ ହତା ଭିତରେ ଝିଅ ସାଇ ସ୍‌ୱରୂପା ରାଉତଙ୍କ ମୃତ୍ୟୁ ଖବର ପାଇବା ପରେ ବଡ଼ବାଲିକୁଦା ଗ୍ରାମର ପଙ୍କଜ ରାଉତଙ୍କ ପରିବାରର ଏ ହେଉଛି ଦୃଶ୍ଯ। ଗତକାଲି ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ପଙ୍କଜ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଗ୍ରାମର ସାଗର ବିଶ୍ୱାଳ ନାମକ ଜଣେ ଯୁବକ ଝିଅର ପିଛା କରିବା ସହ ହଇରାଣ ହରକତ କରୁଥିଲା। ସେ ହିଁ ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗରେ ଦର୍ଶାଇଥିଲେ। ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତ ପ୍ରେମିକ ସାଗରକୁ ଗତକାଲି ଠାରୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ହତ୍ୟା ମାମଲା ରୁଜୁ ସହ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସାଇସ୍‌ୱରୂପାଙ୍କ ସହ ସେହି ଗ୍ରାମର ୨୦ବର୍ଷୀୟ ଯୁବକ ସାଗର ବିଶ୍ଵାଳଙ୍କ କୁଆଡେ ପ୍ରେମ ସମ୍ପର୍କ ଥିଲା। ସାଇସ୍‌ୱରୂପା ଜଣେ ମେଧାବୀ ଛାତ୍ରୀ ଥିବା ବେଳେ ଚଳିତ ବର୍ଷ ଦଶମ ଶ୍ରେଣୀର ପ୍ରଥମ ସମେଟିଭ ପରୀକ୍ଷା ଦେଇଥିଲେ। ସେହିପରି ସାଗର ମାଟ୍ରିକ ପର୍ଯ୍ଯନ୍ତ ପାଠ ପଢିଥିବା ବେଳେ ଟ୍ରାକ୍ଟର ଚାଳକ ଭାବେ କାମ କରୁଥିଲେ। ତେବେ ଏହି ପ୍ରେମ ସଂପର୍କକୁ ସାଇସ୍‌ୱରୂପାଙ୍କ ପରିବାରଲୋକେ ବିରୋଧ କରିବା ସହ ଅନେକ ଥର ଝିଅକୁ ସାଗର ସହ କଥା ନହେବା ପାଇଁ ତାଗିଦ କରିଥିଲେ। ପରିବାରର ବିରୋଧ ଯୋଗୁ ଶନିବାର ରାତିରେ ଘରୁ ବାହାରି ଦୁହେଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମରେ ଥିବା ସ୍କୁଲର ଅସୁରକ୍ଷିତ ଶ୍ରେଣୀଗୃହରେ ବେକରେ ରଶି ଲଗାଇ ଦୁହେଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ସାଇସ୍‌ୱରୂପାଙ୍କ ମୃତ୍ୟୁ ହୋଇଥିବା ବେଳେ ସାଗର ଭୟରେ ଆତ୍ମହତ୍ୟା କରିନଥିଲେ। ଏଥିସହ ପୋଲିସକୁ ଘଟଣା ସମ୍ପର୍କରେ ସାଗର ନିଜେ ଖବର ଦେଇଥିଲେ।

ଏଠାରେ ପ୍ରଶ୍ନ ଉଠୁଛି
୧- ଯଦି ଉଭୟ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ତେବେ ସାଗର କାହିଁକି ଆତ୍ମହତ୍ୟା କରିବାକୁ ଭୟ କଲେ?
୨- ଯଦି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ତେବେ ଆତ୍ମହତ୍ୟା କରିବାକୁ କାହିଁକି ରାସ୍ତା ବାଛିଲେ?
୩- ଅଭିଯୁକ୍ତ ସାଗର ପୋଲିସ ଆଗରେ ବୟାନ ରଖିଥିବା ଅନୁଯାୟୀ ଯଦି ଉଭୟ ବେକରେ ରଶି ଲଗାଇ ଝୁଲି ପଡିଲେ ତେବେ ସାଗର ବଞ୍ଚିଗଲେ କେମିତି, ତାଙ୍କ ବେକରେ କୌଣସି ଦାଗ ଥିଲା କି ନାହିଁ?
୪- ଆତ୍ମହତ୍ୟା ପୂର୍ବରୁ ସାଗର ନାବାଳିକା ସାଇସ୍‌ୱରୂପାକୁ ଆତ୍ମହତ୍ୟା ନକରିବାକୁ କାହିଁକି ବୁଝାଇଲେ ନାହିଁ?
ଏଭଳି ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ତଦନ୍ତ ଚାଲୁଥିବାରୁ ଏସମ୍ପର୍କରେ ପୋଲିସ କ୍ଯାମେରା ସାମ୍ନାରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଛି।

Leave A Reply

Your email address will not be published.