ଦ୍ଵିତୀୟ ଦିନିକିଆ ମ୍ୟାଚ ଜିତିଲା ଶ୍ରୀଲଙ୍କା

0

ଓଡିଆ ନ୍ୟୁଜ (ବ୍ୟୁ୍ରୋ) : ଶ୍ରୀଲଙ୍କାକୁ ମିଳିଛି ବଡ ସଫଳତା । ଆଫ୍ଗାନିସ୍ତାନ ବିପକ୍ଷ ଦ୍ବିତୀୟ ଦିନିକିଆ ଜିତି ଘରୋଇ ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ବରାବର ସ୍ତରକୁ ଆଣିଛି। ପ୍ରଥମ ମ୍ୟାଚ୍ରେ ୬ ୱିକେଟ୍ରେ ହାରିଥିବା ଶ୍ରୀଲଙ୍କା ରବିବାର ଦ୍ବିତୀୟ ଦିନିକିଆକୁ ୧୩୨ ରନ୍ରେ ଜିତି ନେଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବାଁ ଶ୍ରୀଲଙ୍କା ପାଇଁ ଦୁଇ ଓପନର୍ ପଥୁମ ନିଶଙ୍କ (୪୩) ଓ ଦିମୁଥ କରୁଣାରତ୍ନେ (୫୨) ୮୨ ରନ୍ର ଭାଗୀଦାରି ଗଢ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଏହାପରେ କୁସାଲ ମେଣ୍ଡିସ (୭୮) ଓ ସାଦିରା ସମରବିକ୍ରମା (୪୪) ତୃତୀୟ ୱିକେଟ୍ରେ ୮୮ ରନ୍ର ଭାଗୀଦାରି ଗଢ଼ି ୨୨.୩ ଓଭରରେ ଦଳୀୟ ସ୍କୋର୍ ୨୦୦ର ନିକଟତର କରିଥିଲେ। ଟେଲ୍ଏଣ୍ଡରରେ ଧନଞ୍ଜୟ ଡି’ସିଲ୍ଭା(୨୯*), ଦସୁନ ସଣକା (୨୩) ଓ ୱାନିନ୍ଦୁ ହସରଙ୍ଗା (୨୯) ବିସ୍ଫୋରକ ପାଳି ଖେଳିବାରୁ ଦଳୀୟ ସ୍କୋର୍ ୩୨୬/୬ରେ ପହଞ୍ଚିଯାଇଥିଲା।

ଆଫ୍ଗାନିସ୍ତାନ ପକ୍ଷରୁ ଫରିଦ ଅହମଦ ଓ ମହମ୍ମଦ ନବି ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଆଫ୍ଗାନିସ୍ତାନ ଆରମ୍ଭରୁ ଝୁଣ୍ଟିଥିଲା। ୧୧ ରନ୍ରେ ଓପନର୍ ରହମନୁଲ୍ଲା ଗୁର୍ବାଜ (୨)ଙ୍କୁ ହରାଇଥିଲା। ତେବେ ଇବ୍ରାହିମ ଜର୍ଦାନ ଓ ରହମତ ଶାହ ଦ୍ବିତୀୟ ୱିକେଟ୍ରେ ୫୧ ରନ୍ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ରହମତ (୩୬)ଙ୍କୁ ଶଣକା ଆଉଟ୍ କରିଦେଇଥିଲେ। ଜର୍ଦାନ (୫୪) ଓ ହସମତୁଲ୍ଲା ସାହିଦି (୫୭) ନିଜ ନିଜ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ହେଲେ ଉଭୟ ୯ ରନ୍ ମଧ୍ୟରେ ଆଉଟ୍ ହେବା ଦଳକୁ ବଡ଼ ଝଟ୍କା ଲାଗିଥିଲା।

ଏହାପରେ କେବଳ ଆଜମାତୁଲ୍ଲା ଓମାରଜାଇ (୨୮) ଏକାକୀ ଲଢ଼ିଥିଲା ବେଳେ ଅନ୍ୟ କୌଣସି ବ୍ୟାଟର୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଫଳରେ ଭ୍ରମଣକାରୀ ଦଳ ୪୨.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଧନଞ୍ଜୟ ଡି’ ସିଲ୍ଭା ଓ ୱାନିନ୍ଦୁ ହସରଙ୍ଗା ୩ ଲେଖାଏଁ ୱିକେଟ୍ ନେଇଥିଲେ।

Leave A Reply

Your email address will not be published.