ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଗ୍ନବିୀରଙ୍କ ପାଇଁ ପୁଣି ନରମିଲେ ରାଜ୍ୟ ସରକାର । ପ୍ରଥମେ ୧୦ ପ୍ରତିଶତ ସଂରକ୍ଷଣ ଏବେ ପୁଣି ବୟସ ସୀମାରେ ବି କୋହଳ କରିଛନ୍ତି ସରକାର । ତେବେ ଏନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ୟୁନିଫର୍ମ ସେବାରେ ସଂରକ୍ଷଣ ଏବଂ ବୟସ ସୀମାରେ କୋହଳକୁ ନେଇ ନିୟମାବଳି ସମ୍ପର୍କିତ ଅଧିସୂଚନା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ। ପୂର୍ବରୁ ଗତ ଜୁଲାଇ ୨୬ ତାରିଖରେ କାରଗିଲ ବିଜୟ ଦିବସ ଅବସରରେ ରାଜ୍ୟରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ୟୁନିଫର୍ମ ସେବା କ୍ଷେତ୍ରରେ ଓଡ଼ିଶାର ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବା ସହ ୫ ବର୍ଷ ବୟସସୀମା କୋହଳ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଥିଲେ। ଏହି ଅନୁସାରେ ଅଧିସୂଚନା ଜାରି ହୋଇଛି। ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସଂପର୍କିତ ବିବରଣୀ ଦିଆଯାଇଛି । ଏଥିରେ ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବା, ଯଥା ପୋଲିସ୍, ବନବିଭାଗ, ଅବକାରୀ ଏବଂ ଅଗ୍ନିଶମ ବିଭାଗରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ‘ଗ’ ଓ ‘ଘ’ ବର୍ଗ ପଦବୀରେ ନିର୍ଦ୍ଧାରିତ ବୟସସୀମାରେ ୩ ବର୍ଷ କୋହଳ କରାଯିବ ।
ଏହାସହିତ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ମଧ୍ୟ ଅବ୍ୟାହତି ମିଳିବ । କାରଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ,ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ଯୋଜନା। ଏହି ଯୋଜନା ଦେଶର ଯୁବସମାଜକୁ ଦକ୍ଷ, ସାହସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି।