ନିର୍ବାଚନ ଫଳାଫଳ ମଧ୍ୟରେ ସେୟାର ମାର୍କେଟ ଡାଉନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ଜାରି ରହିଛି ଭୋଟ ଗଣତି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ବାଧୀନ ଏନଡିଏ ଆଗୁଆ ଥିଲେ ହେଁ ବିଜୟ ଚିତ୍ର ସ୍ପଷ୍ଟ ହୋଇନଥିବାରୁ ଆଜି (ମଙ୍ଗଳବାର) ଷ୍ଟକ ମାର୍କେଟରେ ବଡ ହ୍ରାସ ଦେଖିବାକୁ ମିଳିଛି । ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ବଜାରର ସେନସେକ୍ସ ୨୦୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ସକାଳ ସାଢେ ୯ଟା ସୁଦ୍ଧା ୩.୦୩ ପ୍ରତିଶତ ବଡ ହ୍ରାସ ସହ ୨୨,୫୫୭ ରହିଛି ।

ସେନସେକ୍ସ ୩ ପ୍ରତିଶତ ଖସି ୭୪,୧୦୭ରେ କାରବାର କରୁଛି । ଗତକାଲି ଏକଜିଟ ପୋଲରେ ମୋଦୀ ୩.୦ ଆସିବ ପରେ ଏବେ ସର୍ବକାଳୀନ ରେକର୍ଡ ଛୁଇଁଥିଲା ଷ୍ଟକ ବଜାର । ସେନସେକ୍ସ ଏବଂ ନିଫ୍ଟି ସବୁ ରେକର୍ଡ ପାର କରିଥିଲା । ଶୁକ୍ରବାର ବନ୍ଦ ତୁଳନାରେ ସୋମବାର ବିଏସଇ ସେନସେକ୍ସ ୨୦୦୦ ପଏଣ୍ଟ ଉଛୁଳି କାରବାର ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ସେନସେକ୍ସ ୨୫୦୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩୩ ପଏଣ୍ଟ ବୃଦ୍ଧି ସହ ୨୩,୨୬୪ ପଏଣ୍ଟରେ ବନ୍ଦ ହୋଇଥିଲା ।

ଏହି ଦୃଷ୍ଟିରୁ ଆଜି ଲୋକସଭା ଫଳାଫଳ ଆସିବାକୁ ଥିବାରୁ ଷ୍ଟକ ବଜାରରେ ନୂଆ ରେକର୍ଡ ସ୍ଥାପନ ହେବ ବୋଲି ଆଶା କରାଯାଉଥିଲା । ହେଲେ ଆଜି ବଜାର ଖୋଲିବା ପରେ ଉଭୟ ବିଏସଇ ସେନସେକ୍ସ ଏବଂ ଏନଏସଇର ନିଫ୍ଟିରେ ବଡ ହ୍ରାସ ଦେଖିବାକୁ ମିଳିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରାରମ୍ଭିକ ଟେଣ୍ଡ ଅନୁସାରେ ବର୍ତ୍ତମାନ ଏନଡିଏ ୨୯୭ ଆସନରେ ଆଗୁଆ ଥିବାବେଳେ ଇଣ୍ଡିଆ ମେଣ୍ଟ ୧୯୧ ଆସନରେ ଆଗରେ ରହିଛି । ଚଳିତ ଲୋକସଭା ନିର୍ବାଚନରେ କିଏ ଗଢିବ ସରକାର, ତାହାର ଚିତ୍ର ଆଜି ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ।

Comments are closed.