ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଉତ୍ତରକାଶୀରେ ଭୟଙ୍କର ଦୁର୍ଘଟଣା । ଉତ୍ତରାଖଣ୍ଡ ଉତ୍ତରକାଶୀ ୟମୁନେତ୍ରୀରେ ଗତକାଲିଠୁ(ରବିବାର) ଟନେଲ ଭୁଶୁଡିବା ଫଳରେ ପ୍ରାୟ 40ଜଣ ଶ୍ରମିକ ଫସି ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରାତି ତମାମ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଟନେଲ ତଳେ ଚାପି ହୋଇଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ ଓ ଅମ୍ଳଜାନ ପଠାଯାଉଛି । ଟନେଲ ଭୁଶୁଡ଼ିବା ଘଟଣା ପରେ ଓଡ଼ିଶାରେ ଚିନ୍ତା ପ୍ରକାଶ ପାଇଛି । କାରଣ ଏହି ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ ।
ଏହି ଟନେଲ ଟ୍ରାଜେଡିରେ ୫ ଓଡ଼ିଆ ଶ୍ରମିକ ଫସିଥିବା ସୂଚନା ମିଳିଛି । ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ବୋଲି ଖବର ମିଳିଛି । ଗତକାଲି ଠାରୁ ଏହି ଶ୍ରମିକମାନେ ଫସି ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ଏନଡିଆରଏଫ୍ ଓ ଏସଡିଆରଏଫ୍ର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରିଲିଫ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯାଞ୍ଚ ପରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁଡ଼ଙ୍ଗର ଆରମ୍ଭରୁ ପ୍ରାୟ ୨୦୦ ମିଟର ପରେ ଏକ ଅଂଶ ଖସି ପଡ଼ିଛି। ଏସଡିଆରଏଫ୍ କହିଛି, ଉତ୍ତରକାଶୀ ଜିଲ୍ଲା ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଥିଲା ଯେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗରେ ୩୬ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି।
ଖବର ପାଇ ଏସଡିଆରଏଫ୍ ଉଦ୍ଧାରକାରୀ ଦଳକୁ ଆବଶ୍ୟକ ଉଦ୍ଧାର ଉପକରଣ ନେଇ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚି ଏସଡିଆରଏଫ୍ ଅନ୍ୟ ଉଦ୍ଧାରକାରୀ ୟୁନିଟ୍ ସହ ସମନ୍ଵୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଜଣେ ଯବାନ ରଣବୀର ସିଂହ ଚୌହାନ କହିଛନ୍ତି, “ଉଦ୍ଧାରକାର୍ଯ୍ୟ ବହୁତ ସ୍ପିଡରେ ଚାଲିଛି । ସମସ୍ତେ କଠିନ ପରିଶ୍ରମ କରୁଛୁ । ଆମ ସହିତ ପ୍ରଶାସନ ମଧ୍ୟ ରହିଛନ୍ତି । ଗତକାଲି ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା ।
ରାତି 11ଟାରେ ଫସି ଥିବା ଶ୍ରମିକଙ୍କ ସହିତ କଥା ହୋଇଥିଲୁ । ସେମାନେ କହିଲେ ଖାଦ୍ୟ ସାମଗ୍ରୀ ନୁହେଁ ଆମକୁ ପବନ ଦରକାର ଏଠାରେ ଭୀଷଣ ଗରମ ହେଉଛି । ଆମକୁ ସୁରକ୍ଷିତ ଦେଖିବାକୁ ଚାହୁଁଥିଲେ ପବନ କିପରି ଆସିବ ତାର ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ । ଭିତରେ ଭୁସ୍ଖଳ ମଧ୍ୟ ହେଉଛି । ସେମାନେ 270 ମିଟର ତଳେ ରହିଛନ୍ତି 205 ମିଟର ଖୋଳା ସରିଛି ଆହରୁ 60 ମିଟର ବାକି ରହିଛି । ଭଗବାନ କରନ୍ତୁ ସମସ୍ତେ ସୁରକ୍ଷିତ ରୁହନ୍ତୁ ।”