ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପୁଣି ବିଷାକ୍ତ ହେଲା ଦିଲ୍ଲୀ ପରିବେଶ | ଦୀପାବଳି ପରେ ଦିଲ୍ଲୀରେ ବଢିଲା ପ୍ରଦୂଷଣର ମାତ୍ରା । ବର୍ଷା ପରେ ସାମାନ୍ୟ ଆଶ୍ବସ୍ତ ମିଳିଥିବା ବେଳେ ପୁଣି ବାୟୂ ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ । ଗତକାଲି ଦୀପାବଳି ରାତିରେ ପରେ ଆଜି ସକାଳୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳଗୁଡିକ ଘନ କୁହୁଡିରେ ଆଚ୍ଛାଦିତ ହୋଇଥିଲା।
ଜାତୀୟ ରାଜଧାନୀର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ହେତୁ ଅନେକ ମିଟର ପର୍ଯ୍ୟନ୍ତ ବାଟ ବି ଦିଶିନଥିଲା। ତେବେ ଦୀପାବଳି ହିସାବରେ କିନ୍ତୁ ବାୟୁ ଅବସ୍ଥା ଭଲ ରହଛି। ଗତ ୮ ବର୍ଷ ଭିତରେ ଏବର୍ଷ ଦୀପାବଳିରେ ଦିଲ୍ଲୀର ବାୟୁ ଅବସ୍ଥା ସବୁଠାରୁ ଭଲ ଥିବା ରେକର୍ଡ ହୋଇଛି। ଦୀପାବଳି ରାତି ପରେ ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୧୮ ରହିଛି, ଯାହାକି ବେଶି ଖରାପ ନୁହେଁ।ଶୁକ୍ରବାର ଓ ଶନିବାର ହୋଇଥିବା ବର୍ଷା ଯୋଗୁ ଦିଲ୍ଲୀର ପ୍ରଦୂଷଣ ସ୍ତର ସାମାନ୍ୟ କମିଥିଲା। ମାତ୍ର ଗତକାଲି ଦୀପାବଳି ଅବସରରେ ପ୍ରବଳ ବାଣ ଫୁଟିବା ଯୋଗୁ ପୁଣି ଥରେ ଧୂଆଁମୟ ହୋଇ ଯାଇଛି ଦିଲ୍ଲୀ ଆକାଶ।ବାଣ ନ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶନାମା ସତ୍ତ୍ୱେ ଦୀପାବଳି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରବଳ ବାଣ ଫୁଟିଛି।
ଏପରିକି ଏଥିଯୋଗୁ ଦିଲ୍ଲୀରେ ଛୋଟ ବଡ଼ ପ୍ରାୟ ଶହେଟି ଅଗ୍ନିକାଣ୍ଡ ଘଟଣା ଘଟିଥିବା ନେଇ ଅଗ୍ନିଶମ ବିଭାଗକୁ ଫୋନ୍ ଆସିଥିବା ଜଣାଯାଇଛି।ବିଗତ କିଛି ଦିନ ହେଲେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। କିଛି ଦିନ ତଳେ ଦିଲ୍ଲୀର ଏକ୍ୟୁଆର ୪୦୦ ଉପରେ ରହିଥିବା ବେଳେ ତାହା ସାଧାରଣ ବାୟୁ ଗୁଣବତ୍ତା ଠାରୁ ୪୦୦ ଗୁଣ ଅଧିକ ରହିଥିଲା । ଏବେ ପୁଣି ଥରେ ପ୍ରଦୂଷଣ ଗ୍ରାଫ ଉପରମୁହାଁ ହୋଇଥିବା ବେଳେ ତାହା ସରକାରଙ୍କ ଚିନ୍ତା ବଢ଼ାଇଛି।