ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁପ୍ରିମକୋର୍ଟରୁ ତାମିଲନାଡୁ ସରକାରଙ୍କୁ ମିଳିଛି ବଡ଼ ଝଟ୍କା। ଆର୍ଏସ୍ଏସ୍ର ରୁଟ୍ ମାର୍ଚ୍ଚ ବିରୋଧରେ ତାମିଲନାଡୁ ସରକାର କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମଡ୍ରାସ୍ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି। ସୂଚନା ଅନୁସାରେ, ତାମିଲନାଡୁରେ ୪୭ ଟି ସ୍ଥାନରେ ଆର୍ଏସ୍ଏସ୍ ପଥ ଶୋଭାଯାତ୍ରା କରିବାକୁ ଚାହୁଁଥିଲା। ଏହାର ବିରୋଧରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆବେଦନରେ ସରକାର ଦର୍ଶାଇଥିଲେ ଯେ ରାଜ୍ୟରେ ଏମିତି କିଛି ଜିଲ୍ଲା ଅଛି ଯେଉଁଠି ଆର୍ଏସ୍ଏସ୍ର ଶୋଭାଯାତ୍ରା କଲେ ବିପଦ ସୃଷ୍ଟି ହୋଇପାରେ। ଏଭଳି ଶୋଭାଯାତ୍ରାରେ ଦେଶରେ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ ହେବ। ତେଣୁ ରାଜ୍ୟ ସରକାର ରାସ୍ତାରେ ଶୋଭାଯାତ୍ରା ଅନୁମତି ନ ଦେଇ ବନ୍ଦ ପରିସରରେ ଶୋଭାଯାତ୍ରା କରିବାକୁ ଅନୁମତି ଦେବାକୁ ଚାହୁଁଥିଲେ ବୋଲି ସରକାର ଜଣାଇଥିଲେ। ହେଲେ ଆର୍ଏସ୍ଏସ୍ ଏହାକୁ ମୌଳିକ ଅଧିକାରର ଉଲ୍ଲଂଘନ କହି ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଗତ ଫେବ୍ରୁଆରି ୧୦ ତାରିଖରେ, ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତିବାଦ ଜରୁରୀ ବୋଲି ଦର୍ଶାଇ ମାଡ୍ରାସ ହାଇକୋର୍ଟଙ୍କର ଏକ ଖଣ୍ଡପୀଠରେ ତାମିଲନାଡୁରେ ଆରଏସଏସକୁ ଶୋଭାଯାତ୍ରା ପାଇଁ ଅନୁମତି ଦେଇଥିଲେ । ତେବେ ଅଦାଲତଙ୍କର ଏହି ରାୟକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମ୍କୋର୍ଟକୁ ଯାଇଥିଲେ ରାଜ୍ୟର ଡିଏମ୍କେ ସରକାର । ସ୍ୱାଧୀନତାର ୭୫ତମ ବର୍ଷ, ଭାରତ ରତ୍ନ ବିଆର ଆମ୍ବେଦକର ଜନ୍ମ ଶତବାର୍ଷିକୀ ଏବଂ ପବିତ୍ର ବିଜୟା ଦଶମୀ ପାଳନ ପାଇଁ ଆରଏସଏସ ପୂର୍ବରୁ ୨୦୨୨ ମସିହା ଅକ୍ଟୋବର ୨ ତାରିଖରେ ଏକ ପଦଯାତ୍ରା ଏବଂ ସାଧାରଣ ସଭା ଆୟୋଜନ ପାଇଁ ଅନୁମତି ମଗାଯାଇଥିଲା । ୨୦୨୨ ମସିହା ନଭେମ୍ବର ୪ ତାରିଖରେ ଅଦାଲତ ରାଲି କରିବାକୁ ଅନୁମତି ଦେଇଥିଲେ । ମାତ୍ର ସେଥିପାଇଁ କିଛି ସର୍ତ୍ତ ରହିଥିଲା । ଏହି ଶୋଭାଯାତ୍ରା କେବଳ ବଛା ବଛା ୬୦ଟି ସ୍ଥାନରେ ହେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ ୬୦ଟି ସ୍ଥାନରେ ୪୪ଟି ରାଲି ପାଇଁ ଅନୁମତି ପ୍ରଦାନ କରିଥିଲେ । ଅଦାଲତ ଆହୁରି ବି ସ୍ପଷ୍ଟ କରିଥିଲେ ଯେ ରାଲି କେବଳ ବନ୍ଦ ଷ୍ଟାଡିୟମ୍ ଏବଂ ପଡ଼ିଆରେ ଆୟୋଜନ ହେବ। ବର୍ତ୍ତମାନ ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଆର୍ଏସ୍ଏସ୍ର ଶୋଭାଯାତ୍ରା ପରିବର୍ତ୍ତିତ ତାରିଖରେ ଅନୁଷ୍ଠିତ ହୋଇପାରିବ ।
କୋର୍ଟ ଏହାକୁ ଉଚିତ ବିରୋଧ ଗଣତନ୍ତ୍ରର ଏକ ଅଂଶ ବୋଲି କହି ରାଜ୍ୟ ସରକାରଙ୍କୁ ରାଲି କରିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ତାମିଲନାଡୁ ସରକାର । ସୂଚନା ଥାଉକି ରାଜ୍ୟରେ ରାଲି କରିବାକୁ ଆର୍ଏସ୍ଏସ୍ ତାମିଲନାଡୁ ସରକାରଙ୍କ ଠାରୁ ଅନୁମତି ମାଗିଥିଲା। ୨୦୨୨ ଅକ୍ଟୋବର ୨ ତାରିଖରେ ସଂଘ ଏକ ରାଲି ବାହାର କରିବାକୁ ଘୋଷଣା କରିଥିଲା । କିନ୍ତୁ ତାମିଲନାଡୁ ସରକାର ଏହି ଶୋଭାଯାତ୍ରା ପାଇଁ ଅନୁମତି ଦେଇନଥିଲେ । ଏହାପରେ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଯାହା ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଆଜି ସର୍ବୋଚ୍ଚ ଅଦାଲତ ଏହାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।