ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୟଙ୍କର ଦୃଶ୍ୟ, ଗୁହାଳରେ ବନ୍ଧା ଗାଈକୁ ଝୁଣି ଖାଇଲା ବାଘ | ଭରତପୁର ସହରରେ ବାଘ ଆତଙ୍କ, ଚାରିଆଡ଼େ ଭୟର ବାତାବରଣ | ଏକ ବାଘ ଏକ ଗୃହ ପାଳିତ ଗାଈକୁ ମାରି ଝୁଣି ଝୁଣି ତାର ମାଂସ ଖାଉଥିବାର ଦୃଶ୍ୟ ଏବେ ଖୁବ୍ ଭାଇରାଲ୍ ହେଉଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଘଟଣାଟି ଘଟିଛି ଆମ ପଡୋଶୀ ଦେଶ ନେପାଳର ଚିତବନ୍ ଜିଲ୍ଲା, ଭରତପୁର ମହା ନଗରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୧୧ର। ସୂଚନାନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ୱାର୍ଡ ଅନ୍ତର୍ଗତ ଭୋଜାଡ ସ୍ଥିତ କମଳା ଦେବୀ ମନ୍ଦିର ନିକଟ ଜନୈକ ବ୍ୟକ୍ତିଙ୍କ ଘରେ ଥିବା ଏକ ଉନ୍ନତ କିସମର ଦୁଧିଆଳୀ ଗାଈକୁ ଏକ ବାଘ ମାରିଦେବା ସହ ତାର ଝୁଣି ଝୁଣି ତାର ମାଂସ ଖାଇଛି।
ଘର ମାଲିକ ତଥା ପଡୋଶୀ ବାଘକୁ ବାରମ୍ବାର ଘଉଡାଇ ଥିଲେ। ମାତ୍ର ବାଘଟି ପୁଣି ଫେରିଆସି ବୁଧବାର ସକାଳ ପର୍ଯ୍ୟନ୍ତ ଗାଈକୁ ଖାଉଥିବା ଲକ୍ଷ କରା ଯାଇଛି। ଏନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆ ଯାଇଛି।