ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାମ ମନ୍ଦିରକୁ ନେଇ ଅମିତ ଶାହାଙ୍କ ଘୋଷଣା ପରେ ଏବେ ଆତଙ୍କବାଦୀଙ୍କ ନଜର ରାମ ମନ୍ଦିର ଉପରେ । ଆକ୍ରମଣ କରିବାକୁ ଯୋଜନା କାଳେ କରୁଛନ୍ତି । ଏ ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ (ଜେଇଏମ) ଏବଂ ଲସ୍କର-ଏ-ତୈବା (ଏଲଇଟି) ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛନ୍ତି । ଏହି ଆତଙ୍କବାଦୀ ଗୋଷ୍ଠୀମାନେ ମଧ୍ୟ ନେପାଳ ଦେଇ ଗୋଳାବାରୁଦ ଏବଂ ଆତ୍ମଘାତୀ ଆକ୍ରମଣକାରୀ ଆଣିବାକୁ ଯୋଜନା କରୁଛନ୍ତି ।
ଗୁଇନ୍ଦା ସୂତ୍ରରୁ ପ୍ରକାଶ ଯେ, ୨୦୨୪ ରେ ମନ୍ଦିରର ଉଦଘାଟନ ହେବା ପୂର୍ବରୁ ରାମ ଜନ୍ମଭୂମି ଉପରେ ଆକ୍ରମଣ କରିବା ବର୍ତ୍ତମାନ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର ଏକ ପ୍ରମୁଖ ଲକ୍ଷ୍ୟ ପାଲଟିଛି। ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଏହି ଆକ୍ରମଣ କରିବା ସହିତ ଏହାକୁ ଏକ ପ୍ରମୁଖ ହିନ୍ଦୁ-ମୁସଲମାନ ସାମ୍ପ୍ରଦାୟିକ ହିଂସା ଭାବରେ ବିଶ୍ୱରେ ଉପସ୍ଥାପନ କରିବା । ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ମଧ୍ୟ ଏହି ଷଡ଼ଯନ୍ତ୍ରକୁ ସାକାର କରିବାକୁ ଉଦ୍ୟମ ଚଳାଇଛି ।