କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟକୁ ବିଜେଡି ସାଂସଦ ସସ୍ମିତ ପାତ୍ର କରିଛନ୍ତି କଦର୍ଥ,ଦଳର ମୁଖିଆ ଏବଂ କିଛି ନିର୍ଦ୍ଧିଷ୍ଟ ପ୍ରଶାସକଙ୍କୁ ଖୁସି କରାଇବା ଉଦ୍ଦେଶ୍ୟରେ ଏମିତି କରୁଥିବା କହିଲେ ବିଜେପି ବିଧାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମିଛ, ଦୋଷାରୋପ, ବିଭ୍ରାନ୍ତ, ପ୍ରତାରଣା ବ୍ୟତୀତ ଆଉ କିଛି ଜାଣିନାହିଁ ଶାସକ ବିଜେଡି ଏବଂ ତାଙ୍କ ନେତୃବୃନ୍ଦ । ପ୍ରଶ୍ନ ଗୋଟିଏ ଥିବ, ଆଉ ଉତର ଦେବେ ଅଲଗା । ଏଥିରେ ସିଦ୍ଧହସ୍ତ ଶାସକ ବିଜେଡି । ରାଜ୍ୟର ବିପର୍ଯ୍ୟସ୍ତ ଓ ଗମ୍ଭୀର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ରାଜ୍ୟ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ ବୋଲି କହିବା ସହ ନ୍ୟାୟିକ ପ୍ରକ୍ରିୟା କିମ୍ବା ମାନ୍ୟବର ନ୍ୟାୟାଳୟଙ୍କ କାର୍ଯ୍ୟକୁ ସନ୍ଦେହ କରୁଥିବାର କହିନାହାନ୍ତି । ବରଂ ନ୍ୟାୟିକ ଓ ନ୍ୟାୟାଳୟଙ୍କ ହସ୍ତକ୍ଷେପ କାରଣରୁ ପୋଲିସ ଦ୍ୱାରା ଅତ୍ୟାଚାରିତ ହୋଇଥିବା ସାଧାରଣ ଲୋକଟି ନ୍ୟାୟ ପାଉଥିବାର କହିଛନ୍ତି ।

ଓଡିଶାରେ ନିତିଦିନ ଘଟି ଯାଉଥିବା ହତ୍ୟା, ହିଂସା, ସେକ୍ସ ର‌୍ୟାକେଟ ଭଳି ସଙ୍ଗୀନ ମାମଲାରେ ପୋଲିସର ନିଷ୍କ୍ରିୟତାକୁ ମାନ୍ୟବର ନ୍ୟାୟାଳୟ ବାରମ୍ବାର ଭର୍ତ୍ସନା କରିବା ସହିତ ସଠିକ୍ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବାକୁ ପଡୁଛି । ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୫ ପତିଶତ, ଯାହାକି ଦେଶରେ ସବୁଠି କମ୍ ଅଟେ । ବୋଧ ହୁଏ ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଶ୍ରୀ ସସ୍ମିତ ପାତ୍ର ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟକୁ ଭଲ ଭାବେ ଶୁଣି ନାହାନ୍ତି କିମ୍ବା ନିଜ ଦଳର ମୁଖିଆ ଏବଂ କିଛି ନିର୍ଦ୍ଧିଷ୍ଟ ପ୍ରଶାସକଙ୍କୁ ଖୁସି କରାଇବା ଉଦ୍ଦେଶ୍ୟରେ ଏଭଳି ନିମ୍ନ ମାନର ବକ୍ତବ୍ୟ ଦେଇଛନ୍ତି ବୋଲି ବିଧାୟକ ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ ଏବଂ ବିଧାନସଭାର ତଥ୍ୟ ହିଁ ବାଖ୍ୟା କରୁଛି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି । ଧର୍ଷଣ, ହତ୍ୟା, ମହିଳା ଅତ୍ୟାଚାର, ଶିଶୁ ଚୋରୀରେ ଓଡିଶା ଆଜି ପ୍ରଥମ ସ୍ଥାନ ହାସଲ କରିଛି । ପୋଲିସକୁ ନିଜ ଦଳୀୟ ସ୍ୱାର୍ଥରେ ବ୍ୟବହାର କରିବାରୁ ଲୋକମାନେ ନ୍ୟାୟ ପାଇବାରୁ ବଂଚିତ ରହୁଛନ୍ତି । ବିରୋଧୀମାନଙ୍କୁ ଭୟଭୀତ କରାଇବା ପାଇଁ ପୋଲିସର ସହାୟତା ନେଉଛି ଶାସକ ବିଜେଡି । ପୋଲିସ ସହାୟତାରେ ମିଛ କେସ୍ କରାଯାଇ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟଙ୍କୁ ଅପରାଧୀ ଭାବେ ଚିତ୍ରଣ କରୁଛି ବିଜେଡି । ସରଳ ଓ ନିରୀହ ଓଡିଶାବାସୀ ଏହାକୁ ଭଲ ଭାବେ ବୁଝିସାରିଛନ୍ତି ଏବଂ ଗତ ୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁରବାସୀ ବିପୁଳ ଭୋଟ ଦେଇ ଜୟାନାରାୟଣ ମିଶ୍ରଙ୍କୁ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ ବି କରିଛନ୍ତି ।

ନୀତି, ନୈତିକତା ଓ ଆଦର୍ଶର ପାଠ ପଢାଉଥିବା ବିଜେଡି ନେତାମାନେ ପ୍ରଥମେ ନିଜ ଚେହେରାକୁ ଦର୍ପଣରେ ଭଲ ଭାବେ ଦେଖିନିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଶାନ୍ତିପ୍ରିୟ ଓଡିଶାରେ ରାଜନୈତିକ ହିଂସାକରଣର ମୁଳଦୁଆ ପଡିଥିଲା କନ୍ଧମାଳରେ ଏବଂ ଏଥିରେ କିଏ କିଏ ସାମିଲ ଥିଲେ ରାଜ୍ୟବାସୀଙ୍କୁ ଭଲ ଭାବେ ଜଣା ଅଛି । ଦଙ୍ଗା ମାମଲାରୁ ବଂଚିବା ପାଇଁ ସାଂସଦ ଶ୍ରୀ ପାତ୍ର ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରଣ ମଧ୍ୟ ନେବାକୁ ପଛାଇ ନଥିଲେ । ଆଜି ଗଣମାଧ୍ୟମ ସମ୍ମୁଖରେ ନୀତି, ନୈତିକତା ଓ ଆଦର୍ଶର କଥା ତାଙ୍କ ପାଟିରେ ଶୋଭା ପାଉନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ନିର୍ବାଚନ ଆସିଲେ ଶାସକ ବିଜେିକୁ କେନ୍ଦ୍ର ଅବହେଳା କଥା ମନେ ପଡେ ଏବଂ ବିଜେପି ଉପରେ ଆରୋପ ଲଗାଇବାର ରୋଗ ଦେଖାଯାଏ । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାବାସୀଙ୍କ ପାଇଁ କଣ କରିଛନ୍ତି, ତାହା ସମଗ୍ର ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି । ଓଡିଶାର ୩.୨୫ କୋଟି ଲୋକଙ୍କୁ ମୋଦି ସରକାର ୫ କେଜି ଚାଉଳ ସଂପୂର୍ଣ୍ଣ ମାଗଣା ଦେଉଥିବାବେଳେ ତାଙ୍କ ବିଜେଡି ସରାର କେତେ ଓ କଣ ଦେଉଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

୧.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶରେ ପାରାଦ୍ୱୀପ ରିଫାଇନାରୀ ପ୍ରକଳ୍ପ, ୧୯୦୦ କୋଟି ଟଙ୍କାର ଇଥାନୋଲ ପ୍ରକଳ୍ପଠାରୁ ଆରମ୍ଭ କରି ବାସହୀନଙ୍କ ପାଇଁ ପକ୍କାଘର, ଶୈାଚାଳୟ, ରାସ୍ତାଘାଟ, ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଐତିହ୍ୟ ଓ କିର୍ତିରାଜର ସୁରକ୍ଷା ଆଦି ଅନେକ ପ୍ରସଙ୍ଗରେ ମୋଦି ସରକାରରେ ସଦସ୍ୟ ଥିବା ତଥା ଆମ ନେତା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁମିକାକୁ ରାଜ୍ୟବାସୀ ଜାଣିଛନ୍ତି । ଆମ ନେତା ତଥା କେନ୍ଦ୍ର ମନ୍ତ୍ରୀ ଓଡିଶାର ବିକାଶ ପାଇଁ କଣ କରିଛନ୍ତି ତାର ସାର୍ଟିଫିକେଟ ଦେବା ପାଇଁ ଶ୍ରୀ ପାତ୍ର କିମ୍ବା ତାଙ୍କ ଦଳ ଶାସକ ବିଜେଡିର ଆବଶ୍ୟକତା ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟରେ ରେଳପଥ କାର୍ଯ୍ୟ ଦୃତ ଗତିରେ ଚାଲିଛି । ଗତ ୯ ବର୍ଷରେ ପାଖାପାଖି ୬୦ ହଜାର କୋଟି ଟଙ୍କା ମିଳିଛି ଏବଂ ଆହୁରି ମଧ୍ୟ ମିଳିଥାନ୍ତା । କିନ୍ତୁ ଜମି ଅଧିଗ୍ରହଣ ନହେବା ଓ ରାଜ୍ୟ ସରକାରଙ୍କ ଅସହଯୋଗତା କାରଣରୁ ଏଥିରେ ବାଧା ସୃଷ୍ଟି ହେଉଛି । ଅପର ପକ୍ଷରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ପାଂଠି ବାବଦରେ ଆସୁଥିବା ହଜାର ହଜାର କୋଟି ଟଙ୍କାକୁ ଖଣି ଅଂଚଳର ବିକାଶ ନକରାଇ ବିନା ଟେଂଡର ଓ ଅନୈତିକ ଉପାୟରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ଲୁଟ୍ କରୁଛନ୍ତି ।

ଗତ ୨୦୧୯ ନିର୍ବାଚନରେ ଆମଠାରୁ ମାତ୍ର ୧୦ ଲକ୍ଷ ଅଧିକ ଭୋଟ ପାଇଥିବା ଶାସକ ବିଜେଡିର ଅହଂ ଓ ଗର୍ବକୁ ଓଡିଶାବାସୀ ଆଗାମୀ ଦିନରେ ନିଶ୍ଚିତ ଦେବେ ଏବଂ ଏଥି ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.