ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବୁଧବାରଠାରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ । ଫେବ୍ରୁଆରୀ ପହିଲାରୁ କେନ୍ଦ୍ରୀୟ ଅନ୍ତରୀଣ ବଜେଟ୍ । ଦିନକ ପରେ ବସିବ ବଜେଟ୍ ସେସନ୍ । ନିର୍ବାଚନକାଳୀନ ବଜେଟ୍ ଉପରେ ଦେଶବାସୀଙ୍କ ନଜର ରହିଛି । ଏହାପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନ ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ସଂସଦର ଉଭୟ ଗୃହର ସମସ୍ତ ରାଜନୈତିକ ଦଳର ନେତା ବୈଠକରେ ସାମିଲ ହେବେ । ଆଜି ସନ୍ଧ୍ୟାରେ ସଂସଦର ଲାଇବ୍ରେରୀ ବିଲ୍ଡିଂରେ ବୈଠକ ବସିବ ।

ବୁଧବାରଠୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧିତ କରିବେ । ଆସନ୍ତା ଫେବୃଆରୀ 1 ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । 9 ତାରିଖରେ ଅଧିବେଶନ ଶେଷ ହେବ । ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ପରେ ମୋବାଇଲରେ ବଜେଟ ଆପ୍ଲିକେସନରେ ବଜେଟ ଉପଲବ୍ଧ ହେବ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ବଜେଟର ସମସ୍ତ ବିସ୍ତୃତ ତଥ୍ୟ ଏଥିରେ ରହିବ । ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ବଜେଟ ସମ୍ପର୍କିତ ତଥ୍ୟ ଉପଲବ୍ଧ କରାଯିବ । ସ୍ମାର୍ଟଫୋନରେ ଆପ୍ଲିକେସନକୁ ଡାଉନଲୋଡ ଓ ବ୍ୟବହାର କରାଯାଇପାରିବ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ଶେଷ ବଜେଟ । ତେଣୁ ବିଶ୍ବବାସୀଙ୍କ ନଜର ରହିଛି ଏହା ଉପରେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମସ୍ତ ବର୍ଗକୁ ଖୁସି କରିବା ପରି ବଜେଟ ଆଗତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ଆଗକୁ ନିର୍ବାଚନ ଥିବାରୁ ବିଶେଷ କରି ଭିତ୍ତିଭୂମିର ବିକାଶ, କର୍ମନିଯୁକ୍ତିକୁ ଫୋକସ୍ ଦେବା ସହ ଆୟକର ସୀମା ଅପରିବର୍ତ୍ତିତ ରଖିପାରନ୍ତି ସରକାର । ସେହିପରି ଗ୍ରୀନ୍ ଏନର୍ଜିକୁ ଦିଆଯାଇପାରେ ଗୁରୁତ୍ବ । ଷଷ୍ଠଥର ପାଇଁ ଲଗାତାର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ୬ଥର ବଜେଟ୍ ଉପସ୍ଥାପନା କରିଥିଲେ ।

Leave A Reply

Your email address will not be published.