ବସ ଚଳାଉଥିବା ବେଳେ ହୃଦଘାତର ଶିକାର ହେଲେ ଡ୍ରାଇଭର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ ପୂର୍ବରୁ ଦେବଦୂତ ସାଜିଲେ ଡ୍ରାଇଭର । ଶେଷରେ ନିଜେ ଚାଲିଗଲେ | ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ । ହାର୍ଟ ଆଟାକ ଆସିବା ସତ୍ତ୍ୱେ ନିଜର କର୍ତ୍ତବ୍ୟ ଭୁଲି ନଥିଲେ ।

ତେବେ ସୂଚନା ମୁତାବକ, କୋଲକାତାରୁ ଏକ ତୀର୍ଥଯାତ୍ରୀ ବସ 50ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବାଲେଶ୍ବରର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସୁଥିଲେ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବସଟି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକ ନିକଟରେ ଅଟକି ଯାଇଥିଲା । ବସ ଚଳାଉଥିବା ବେଳେ ହଠାତ ଡ୍ରାଇଭର ଜଣଙ୍କୁ ହଠାତ ହୃଦଘାତ ଆସିଥିଲା । କିଛି ଅଘଟଣ ଘଟିବା ପୂର୍ବରୁ ସେ ବସକୁ ରାସ୍ତାରେ ଛିଡା କରାଇ ଦେଇଥିଲେ। ଡ୍ରାଇଭର ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଯାତ୍ରୀ ମାନେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ପାଇଁ ଡକିଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ସମ୍ପୃକ୍ତ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ସେଠାରେ ଡାକ୍ତର ଉକ୍ତ ଡ୍ରାଇଭରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ରାସ୍ତାରେ ବସ ସମେତ ପର୍ଯ୍ୟଟକ ଛିଡା ହୋଇ ହଇରାଣ ହେଉଥିବା ବେଳେ ସ୍ଥାନୀୟ ଯୁବକ ମାନେ ବସଟିକୁ ଚଳାଇ ସମସ୍ତ ପର୍ଯ୍ୟଟକଙ୍କୁ ପଞ୍ଚଲିଙ୍ଗେଶ୍ଵରରେ ପହଞ୍ଚାଇଥିଲେ। ଡ୍ରାଇଭର ଆଗୁଆ ନିଜର ହୃଦରୋଗ ବିଷୟରେ ଜାଣିପାରି ମୃତ୍ୟୁ ପୂର୍ବରୁ ଯାତ୍ରୀ ମାନଙ୍କୁ ସୁରକ୍ଷା ଦେଇଥିବାରୁ ତାଙ୍କୁ ପ୍ରଶଂସା କରାଯାଉଛି। ମୃତ ଡ୍ରାଇଭରଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ବସଟି କୋଲକାତାର କେଉଁ ସ୍ଥାନରୁ ଆସୁଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇନି । ଏହି ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.