ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧଳା ଜହରର ହବ୍ ପାଲଟିଛି ରାଜଧାନୀ। ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଆଜି ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍ । ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର ଡିଲ୍ ଚାଲିଥିବା ବେଳେ କମିଶନରେଟ ପୁଲିସ ସହାୟତରେ ଏସଟିଏଫ୍ ଟିମ୍ ଚଢାଉ କରିଥିଲେ । ସେଠାରୁ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି । ଏହି ମାମଲାରେ ଏସଟିଏଫ୍ ଟିମ୍ ବେପାରୀ ଚିତ୍ତରଞ୍ଜନ ସାହୁକୁ ଗିରଫ କରିଥିଲା। ତାକୁ କୋର୍ଟଚାଲାଣ କରାଯାଇଛି ।
ଚିତ୍ତରଞ୍ଜନର ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳଙ୍ଗା ଗାଁରେ ବୋଲି ଜଣାଯାଇଛି।ସେ ଭୁବନେଶ୍ବରରେ କାରବାର କରିଚାଲିଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା । ନିଶା ବେପାର ବିରୋଧରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ । ଏସଟିଏଫ୍ ଟିମ୍ ୨୦୨୦ରୁ ଏଯାଏ ୬୯ କେଜି ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି । ଏହାଛଡ଼ା୨୦୨ ଗ୍ରାମ କୋକେନ ଓ ୧୧୩ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।