ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ।ନୂଆଦିଲ୍ଲୀରେ ଗୁରୁବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ଓଡିଶାର ୩ ନେତା ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି।
ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନିଜେ ଆସିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଥିଲେ।।ଆଗାମୀ ଦିନରେ ଓଡ଼ିଶା ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଉଭୟ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଓଡ଼ିଶା ଆସିବାକୁ ଅନୁରୋଧ କରିଛନ୍ତି । ସେହିପରି ଶୁକ୍ରବାର ଦିନ(ଆଜି) କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭାରେ ଗୃହ ନେତା ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତ୍ରୁବୃନ୍ଦଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।
୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରୁଥିବାରୁ ତାକୁ ଦୃଷ୍ଟିରେ ରଖି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ଓଡ଼ିଶା ଗଠନ ପାଇଁ ଆଗାମୀ ୫ ବର୍ଷରେ କାର୍ଯ୍ୟକ୍ରମ ହେବ। ରଥଯାତ୍ରାକୁ ଆସିବା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛୁ। ସେ ଆସିବେ ବୋଲି ସ୍ପଷ୍ଟ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।