ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ୍ଦ ଘର ଭିତରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ଗଂଜାମ ଜିଲ୍ଲା ବୁଗୁଡ଼ାର ଅରବିନ୍ଦନଗରରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଖୋର୍ଦ୍ଧା ସୋରଣ ଗାଁର ରଶ୍ମିତା ବେହେରା। ସେ ବୁଗୁଡ଼ାରେ ପୋଷ୍ଟ ଅଫିସରେ ଡାକ କର୍ମଚାରୀ ଭାବେ କାମ କରୁଥିଲେ।
ସୂଚନା ଅନୁସାରେ, ବୁଗୁଡ଼ାର ଅରବିନ୍ଦନଗରରେ ଭଡ଼ାରେ ରହୁଥିଲେ ରଶ୍ମିତା। ସେ ବୁଗୁଡ଼ା ପୋଷ୍ଟ ଅଫିସରେ କିଛି ବର୍ଷ ହେବ କାର୍ଯ୍ୟ କରୁଥିଲେ। ତେବେ ଗତକାଲି ରଶ୍ମିତା ରହୁଥିବା ଘର କବାଟ ଦୀର୍ଘ ସମୟ ଧରି ବନ୍ଦ ଥିଲା। ଘର ମାଲିକ ରଶ୍ମିତାଙ୍କୁ କବାଟ ବାଡ଼େଇ ଡାକିଥିଲେ ମଧ୍ୟ ସେ ଖୋଲି ନଥିଲେ। ଏନେଇ ଘର ମାଲିକଙ୍କ ସନ୍ଦେହ ହୋଇଥିଲା।
ଘର ମାଲିକ ତୁରନ୍ତ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘରର କବାଟ ତାଡ଼ି ଘରେ ପଶିଥିଲା। ଘରୁ ରଶ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ। ବୁଗୁଡ଼ା ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ତେବେ ମହିଳା ଡାକ କର୍ମଚାରୀଙ୍କ କିପରି ମୃତ୍ୟୁ ଘଟିଲା ଏନେଇ ପୋଲିସ ତଦନ୍ତ ଜାରି ରଖିଛି।