ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ଆଜି !

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟିପାରେ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ନବଗଠିତ ରତ୍ନଭଣ୍ଡାର ତଦାରଖ କମିଟିର ଦ୍ବିତୀୟ ବୈଠକ। ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ, ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ଧାର୍ଯ୍ୟ ହୋଇପାରେ | କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ଅନୁଷ୍ଠିତ ହେବ।

ବୈଠକରେ ରତ୍ନଭଣ୍ଡାର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବାର ଥିବାରୁ ଏହା ଅନେକ ଗୁରୁତ୍ବ ବହନ କରୁଛି। ଅପରପକ୍ଷେ ରତ୍ନଭଣ୍ଡାର ଚାବି ବି ମଙ୍ଗଳବାର ବୈଠକରେ ଉପସ୍ଥାପିତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି କମିଟି ଆଗରେ ଦାଖଲ କରିବେ। ରତ୍ନଭଣ୍ଡାର ଚାବି ବି କେମିତି ଖୋଲାଯିବ, ବୈଠକରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଯେହେତୁ ୨୦୧୮ ମସିହାଠାରୁ ରତ୍ନଭଣ୍ଡାର ଚାବିକୁ ନେଇ ଭକ୍ତଙ୍କ ମହଲରେ ସନ୍ଦେହ ଉଦ୍ରେକ ହୋଇଛି, ମଙ୍ଗଳବାର ବୈଠକରେ ଚାବି ଉପସ୍ଥାପନ ପରେ ଭକ୍ତଙ୍କ ଏହି ସନ୍ଦେହ କିଛିକାଂଶରେ ଦୂର ହେବ ବୋଲି ଆଶା କରାଯାଉଛି।  ୯ ତାରିଖ ଅର୍ଥାତ୍ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ। ଚାବି ଉପସ୍ଥାପନ ହେଲା ପରେ, ରତ୍ନଭଣ୍ଡାର କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ।

ତେବେ ବହୁ ଦଶନ୍ଧିରୁ ଖୋଲା ଯାଇନଥିବା ପୁରୁଣା ତାଲା କଳଙ୍କି କିମ୍ବା ଅନ୍ୟ କୌଣସି କାରଣରୁ ଡୁପ୍ଲିକେଟ ଚାବିରେ ନଖୋଲିଲେ, ତାଲାକୁ ଭାଙ୍ଗି ଦିଆଯିବ।  ମଙ୍ଗଳବାର ବୈଠକରେ ଏହି ଏସ୍‌ଓପି ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେହିଭଳି ରତ୍ନଭଣ୍ଡାର ମରାମତି ଆବଶ୍ୟକ କରୁଥିବାରୁ ଖୋଲିବା ପରେ ଏଥିରେ ଥିବା ସମସ୍ତ ଅଳଙ୍କାର ଅନ୍ୟତ୍ର ସ୍ଥାନାନ୍ତର ହେବ। ଆବଶ୍ୟକ ପଡ଼ିଲେ, ଏକ ଅସ୍ଥାୟୀ ଗୃହ ନିର୍ମାଣ ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ଏ ସଂପର୍କିତ ଏସ୍‌ଓପି ପ୍ରସ୍ତୁତ କରିବ। ଏଥିସହ କେଉଁମାନେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି କରିବେ, ସେମାନଙ୍କ ତାଲିକା ବି ପରିଚାଳନା କମିଟି ଦେବ। ଏଣୁ ମଙ୍ଗଳବାର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.