ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ ।  ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ ।  ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ମଦନ ମୋହନ, ରାମକୃଷ୍ଣ, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ। ଆଜି ଅପରାହ୍ନ ଯାଏ ରଥାରୁଢ଼ ବିଶ୍ୱନିୟନ୍ତାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।

ଆସନ୍ତାକାଲିଠୁ ମିଳିବ ଆଡ଼ପ ଅବଢ଼ା। ରବିବାର ସଅଳ ରଥ ଟଣା ହୋଇଥିଲେ ମଧ୍ୟ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିପାରି ନ ଥିଲା। ସନ୍ଧ୍ୟା ହୋଇଯିବାରୁ ରଥ ଟଣା ବନ୍ଦ ରଖାଯାଇଥିଲା। ଫଳରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକରେ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଶ୍ରୀକୃଷ୍ଣ ସିନେମା ଛକରେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରଠାରୁ ଟିକେ ଦୂର ଗଡ଼ି ଅଟକି ରହିଥିଲା। ରଥଟଣା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା। ରବିବାର ରାତି ୧୨ଟାରୁ ୧୨ଟା ୨୫ ମଧ୍ୟରେ ତିନି ରଥର ମଇଲମ ଓ ୧୨ଟା ୩୦ରେ ମହାସ୍ନାନ ସମ୍ପନ୍ନ କରାଯାଇଥିଲା।

ପରେ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇ ଘଣ୍ଟଛତା, ମଧ୍ୟାହ୍ନ ଧୂପ ରାତି ୨ଟା ୪୫ରେ ସରିଥିଲା। ସେହିପରି ରଥ ଟଣାର ଦ୍ୱିତୀୟ ଦିନ ସୋମବାର ସକାଳ ୭ଟା ୩୦ରୁ ୮ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ସରି ୯ଟା ୧୦ରେ ବେଶ ଶେଷ ହୋଇଥିଲା। ବିଜେ କାହାଳୀ ବାଜିବା ପରେ ୯ଟା ୨୦ରେ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ୩ ରଥକୁ ଟାଣି ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ।

Leave A Reply

Your email address will not be published.