ଦୁର୍ବଳ ଲୋକଙ୍କ ନିକଟରେ ପହଞ୍ଚିବ ଜିଲ୍ଲା ପ୍ରଶାସନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦାନ କରିଛନ୍ତି। ଆଜି ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମହାପ୍ରଭୁଙ୍କୁ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପୂର୍ବାହ୍ନ ୧୦ ଘଟିକା ସମୟରେ କାର୍ଯ୍ୟରେ ଯୋଗଦାନ କରିଥିଲେ।

ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦିଆଯିବ।ଜିଲ୍ଲାର ଦୁର୍ବଳତମ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ପ୍ରଶାସନ।ଦକ୍ଷତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ।ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବ।ସୂଚନା ଅନୁସାରେ ୨୦୧୮ ବ୍ୟାଚ୍ ଓଡ଼ିଶା କ୍ୟାଡର୍‌ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂର୍ବରୁ ସମ୍ବଲପୁରର ଉପଜିଲ୍ଲାପାଳ ଏବଂ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିସନର ଭାବେ କାର୍ଯ୍ୟ କରି ବେଶ ଲୋକପ୍ରିୟତା ଅର୍ଜନ କରି ସାରିଛନ୍ତି।

ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପ-ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପରେ ପରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲ୍‌ଦାର, ସମସ୍ତ ବିଡିଓ, ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ସମସ୍ତ ନିର୍ବାହୀ ଅଧିକାରୀଙ୍କ ସହ ପରିଚିତ ହେବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ।ପ୍ରଶାସନର ସମସ୍ତ କାର୍ଯ୍ୟକୁ ଲୋକାଭିମୁଖୀ କରିବା ସହ ଆସନ୍ତା ସାଧାରଣ ନିର୍ବାଚନକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ସେ ସମସ୍ତ ଅଧିକାରୀକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ ପରିଦର୍ଶନ କରି ଭିତ୍ତିଭୂମି ପରଖିବା ସହ ସେ ମୂଲ୍ୟବାନ ଉପଦେଶ ଦେଇଥିଲେ ।

Leave A Reply

Your email address will not be published.