ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ହେମାକାନ୍ତ ସାୟ ନିଯୁକ୍ତ ହୋଇଛନ୍ତି। ଏନେଇ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେଙ୍କୁ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ନୂଆପଦା ଜିଲ୍ଲାପାଳ ହେମାକାନ୍ତ ସାୟଙ୍କୁ ମୟୁରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ଶ୍ରୀ ସାୟ ୨୦୧୭ବ୍ୟାଚର ଆଇଏଏସ ଅଧିକାରୀ ଅଟନ୍ତି। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଶିନ୍ଧେ ଗତ ଫେବ୍ରୁଆରୀ ମାସରେ ମୟୁରଭଞ୍ଜ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ। ତେବେ ସେ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ନିର୍ବାଚନ କମିଶନରଙ୍କ ନିୟମ ଅନୁଯାୟୀ ତାଙ୍କୁ ଜିଲ୍ଲାପାଳ ଭାବେ ମୟୁରଭଞ୍ଜ ଜିଲ୍ଲାକୁ ବଦଳି କରାଯାଇଥିଲା।
ଏଥିପରେ ଶ୍ରୀ ସିନ୍ଧେ ଗତ ମାର୍ଚ୍ଚ ୧ତାରିଖରେ ମୟୁରଭଞ୍ଜ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ସମସ୍ତ ଜିଲ୍ଲା ପ୍ରଶାସନ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହଯୋଗିତା ଏବଂ ସହଭାଗିତାରେ ସୁରୁଖୁରୁରେ ସାଧାରଣ ନିର୍ବାଚନ ପରିଚାଳନା କରିଥିଲେ। ରାଜ୍ୟର ସବୁଠୁ ବଡ଼ ଜିଲ୍ଲା ହେଉଛି ମୟୁରଭଞ୍ଜ ଜିଲ୍ଲାରେ ଜଣେ ଦକ୍ଷ ପ୍ରଶାସକ ଭାବେ ଶ୍ରୀ ଶିନ୍ଧେ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ କରିଥିଲେ।