ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ ଆଦିବାସୀ ସଙ୍ଗଠନ ପକ୍ଷରୁ ବୁଧବାର ଦିଆଯାଇଥିବା ଭାରତ ବନ୍ଦ ଡାକରାର ବାରିପଦା ଠାରେ ପ୍ରଭାବ ଶୂନ୍ୟ ରହିଥିଲା। ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା।
କିନ୍ତୁ ବାରିପଦା ସହରରେ ଗାଡି ମୋଟର ଚଳାଚଳ, ଦୋକାନ ବଜାର, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ ଏବଂ ଶିକ୍ଷାନୁଷ୍ଠାନ ଆଦି ପୂର୍ବ ଦିନ ଭଳି ସ୍ୱାଭାବିକ ରହିଥିଲା। ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ଵାରା ରାୟ ପ୍ରକାଶ ପାଇଛି। ସଂରକ୍ଷଣ ବ୍ୟବସ୍ଥାକୁ ଉପବର୍ଗୀକରଣ କରାଯାଇଛି। ଯାହାକି ଏକ ଅସାମ୍ବିଧାନିକ ରାୟ ଅଟେ ବୋଲି ଅଭିଯୋଗ କରି ଦେଶବ୍ୟାପି ଏହାର ବିରୋଧ କରାଯାଇଛି। ଏହା ବିରୁଦ୍ଧରେ ଅନୁସୁଚିତ ଜାତି, ଜନଜାତି, ସଂଖ୍ୟାଲଘୁ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଥିଲା। ସକାଳୁ ଗାଡି ମଟର, ଟ୍ରେନ ଆଦି ଚଳାଚଳ କରିଥିଲେ।
ଦିନ ୧୧ଟା ବେଳକୁ ସଙ୍ଗଠନ ପକ୍ଷରୁ ବନ୍ଦକୁ ନେଇ ବାରିପଦା ସହରରେ ବାଇକ ଶୋଭାଯାତ୍ରା କରି ପିକେଟିଂ କରିଥିଲେ। କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ କରିଥିବା ବେଳେ କିଛି ସମୟ ପରେ ତାହା ପୁଣି ଖୋଲି ଯାଇଥିବା ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ପୁଲିସ ମୃତୟନ କରାଯାଇଛି। ବନ୍ଦ ସମୟରେ ରାମଚନ୍ଦ୍ର ସିଂ, ବୁଦ୍ଧିଆ ସିଂ, ବାଜି ସିଂ, ସହଦେବ ସିଂ, ଗୋବର୍ଦ୍ଧନ ସିଂ, ଚନ୍ଦ୍ରମୋହନ ମୁଣ୍ଡାରୀ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।