ବିଏମସିକୁ ନାଲିଆଖି ଦେଖାଇ ସରକାରୀ ଜମିରେ ବାଲି ବେପାର,ଉଚ୍ଛେଦ କରିବାକୁ ଯାଇ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଫେରିଲା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ଜବରଦଖଲକାରୀଙ୍କ ଲାଗି ଚରାଭୂଇଁ ପାଲଟୁଛି। ଯିଏ ଯେଉଁଠି ପାଉଛି ସେଠି ଜମି ମାଡ଼ିବସୁଛି। କିଏ କେନାଲ କଡ଼ରେ ଘର କରି ରହୁଛି ତ କିଏ କଞ୍ଜରଭେନ୍ସିଂରେ। ମୁଖ୍ୟକଥା ହେଉଛି ସହରର ପ୍ରମୁଖ ରାସ୍ତା ପାର୍ଶ୍ବ ସରକାରୀ ଜମିରେ ଏବେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଛି। ମୁଖ୍ୟତଃ ବ୍ୟବହୃତ ହେଉନଥିବା ରାସ୍ତାକଡ଼ରେ ଦୋକାନ ବଜାର ଲଗାଇ ସେମାନଙ୍କଠାରୁ ବଟି ଆଦାୟ କରିବା ହେଉ କି ବାଲି, ଗୋଡ଼ି, ଇଟା, ପଥର ଗଦା କରି ବେଆନ ବେପାର ଚଳାଇବା କଥା ସାମ୍ନାକୁ ଆସୁଛି। ସହର ଛାତି ଉପରେ ଏପରି ବେଆଇନ ଆର୍ଥକ କାରବାର ଚାଲିଥିବାବେଳେ ଭୁବନେଶ୍ବର ମହାନଗର ନିଗମ (ବିଏମସି) ଏଥିପ୍ରତି ଆଖିବନ୍ଦ କରିଦେଇଥିବା ନଜରକୁ ଆସିଛି।

ବମିଖାଲ-ସହୀଦନଗର ଲେବଲ କ୍ରସିଂ ନିକଟ ଅଞ୍ଚଳ ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି। ବମିଖାଲରୁ ସହୀଦନଗରକୁ ସଂଯୋଗ କରୁଥିବା ଫ୍ଲାଏଓଭର ତଳ ଏବେ ନିଶାଡ଼ି ଓ ସରକାରୀ ଜମି ଜବରଦଖକାରୀଙ୍କ କବଜାରେ ରହିଛି। ମୁଖ୍ୟ ରାସ୍ତା ଉପରେ ବାଲି ଗୋଡ଼ି ଗଦା କରି ଜବରଦଖଲକାରୀମାନେ ରାସ୍ତା ଅବରୋଧ କରିବା ସହ ବେଆଇନ ଭାବେ ସେଠି ବାଲି ଗୋଡ଼ି ରଖି ବିକ୍ରି କରୁଛନ୍ତି। ସନ୍ଧ୍ୟା ହେଲେ ସେଠାରେ ନିଶାଡ଼ି, ଅପରାଧୀଙ୍କ ଭିଡ଼ ଜମୁଥିବାବେଳେ ସେଠାରେ ଜବରଦଖଲ କରି ସେମାନେ ଏକ ଅସ୍ଥାୟୀ ଟିଣ ଘର ମଧ୍ୟ ନିର୍ମାଣ କରିଛନ୍ତି। ଏନେଇ ବିଏମସି ଅଧିକାରୀ ଓ କାଉନସିଲର ଅବଗତ ଥିବା ସତ୍ତ୍ବେ କିଛି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ମଧ୍ୟରେ ବିଏମସି ଏନଫୋର୍ସମେଣ୍ଟ ଟିମ୍ ସେଠାକୁ ଉଚ୍ଛେଦ କରିବାକୁ ଯାଇ ଖାଲି ହାତରେ ଫେରିଆସିଛି। ମୁଖ୍ୟ ରାସ୍ତା ଜବରଦଖଲରେ ଥିବାବେଳେ ଇଟା, ପଥର, ଚିପ୍ସ, ବାଲି ଗଦା ହୋଇଛି। ସେଠାରେ ବେଆଇନ ଭାବେ ବେପାର ଚାଲିଥିବାବେଳେ ନା ସେମାନଙ୍କର ଟ୍ରେଡ୍ ଲାଇସେନ୍ସ ଅଛି, ନା ସେମାନେ ବିଏମସିଠାରୁ ଅନୁମତି ନେଇ ବେପାର କରୁଛନ୍ତି। ସ୍କ୍ବାର୍ଡ ଏନେଇ ପଚରାଉଚରା କରିବା ପରେ ତାଙ୍କୁ ସମ୍ପୃକ୍ତ ଜବରଦଖଲକାରୀ ଏହି ପ୍ଲଟ୍ ରେଲ୍ୱେର ରେଲୱେ ସହ କଥା ହେବାକୁ କହିବା ସହ ବିଏମସି ଟିମକୁ ଫେରାଇ ଦେଇଥିବା ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ସଦସ୍ୟ କହିଛନ୍ତି। ପୋଲିସ୍ ଫୋର୍ସ ନଥିବାରୁ ସ୍କ୍ବାର୍ଡକୁ ଖାଲି ହାତରେ ଫେରିବାକୁ ପଡ଼ିଥିବାବେଳେ ଖୁବଶୀଘ୍ର ଅତିରିକ୍ତ କମିଶନରଙ୍କ ନେତୃତ୍ବରେ ଏନଫୋର୍ସମେଣ୍ଟ ଟିମ୍ ପୋଲିସ୍ ଫୋର୍ସ ସହ ଉକ୍ତ ସ୍ଥାନରେ ଉଚ୍ଛେଦ କରିବ ବୋଲି କହିଛନ୍ତି। ସେହିପରି କାଉନସିଲର କୁମରେନ୍ଦ୍ର ମହାପାତ୍ର କହିଛନ୍ତି, ଜବରଦଖଲକୁ କୌଣସି ମାତ୍ରେ ପ୍ରଶ୍ରୟ ଦିଆଯିବନାହିଁ। ଅଧିକାରୀ ଏନେଇ ଯାଞ୍ଚ କରିଛନ୍ତି। ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବମିଖାଲ ଫ୍ଲାଏ ଓଭର କାର୍ଯ୍ୟକ୍ଷମ ହେବା ପରଠାରୁ ଉକ୍ତ ଅଞ୍ଚଳକୁ ପ୍ରଭାବଶାଳୀ ବ୍ୟକ୍ତି ଜଣକ ନିଜ ଅକ୍ତିଆରକୁ ନେଇଛନ୍ତି। ବେଆଇନ ବାଲି, ଗୋଡ଼ି ବିକ୍ରୀ କରୁଥିବାର ନଜିର ଥିବାବେଳେ ଏବେ କିଛି ଦିନ ହେବ ସନ୍ଧ୍ୟା ହେଲେ ନିଶାଡ଼ିଙ୍କ ସେଠାରେ ଅଡ୍ଡା ଜମୁଛି।୧୫ରୁ ୨୦ ନିଶାଶକ୍ତ ଯୁବକ ସେଠାରେ ହୋ-ହଲ୍ଲା କରୁଥିବା ବେଳେ ଅଞ୍ଚଳବାସୀଙ୍କ ଅସନ୍ତୋସ ପରିଲିକ୍ଷିତ ହୋଇଛି।

Leave A Reply

Your email address will not be published.