ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସବ ମୁଖର ସାରା ଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସବ ମୁଖର ସାରା ଦେଶ । ରାମ ମନ୍ଦିରରେ ଶ୍ରୀ ରାମଙ୍କ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍କଣ୍ଠା । ପ୍ରତିଷ୍ଠା ସମାରୋହକୁ ହାତରେ ମାତ୍ର ଆଉ କିଛିଟା ଦିନ ବାକି ରହିଛି । ଏ ନେଇ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଆସନ୍ତା ୨୨ ତାରିଖରୁ ଶୁଭ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା । ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ସୁନା ଚଦର ଲାଗିଥିବା ବିରାଟ କବାଟ ।

ମନ୍ଦିର ତଳ ମହଲାରେ ମୋଟ ୧୪ଟି ସୁନା କବାଟ ଲଗିସରିଛି । ସୁନ୍ଦର ରଙ୍ଗୋଲିରେ ସଜେଇ ହେଉଛି ଅଯୋଧ୍ୟାର ରାସ୍ତାଘାଟ। ପ୍ରାଣ ପ୍ରତିଷ୍ଠା ସମାରୋହରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ଲାଗି ଦିନରାତି ଏକ କରି ଚାଲିଛି ଥାଳି ଓ ଦନା ତିଆରି କାମ । ଶ୍ରଦ୍ଧାଳୁଙ୍କୁ ଶୀତରୁ ଆଶ୍ୱସ୍ତି ଦେବା ପାଇଁ ଲାଗିଛି ଆଉଟଡୋର ହିଟର । ମଥୁରାରୁ ୧୦୦ କିଲୋ ଲଡ଼ୁ ଆସିଥିବା ବେଳେ, ଆଗ୍ରାରୁ ସୁସଜ୍ଜିତ ଗାଡ଼ିରେ ଆସିଛି ୫୬ ପ୍ରକାରର ପେଡ଼ା । ଗୁଜରାଟ ବରୋଦାରୁ ଆସିଥିବା ୧୦୮ ଫୁଟ୍ ଲମ୍ବା ସାଢ଼େ ୩ ଫୁଟ୍ ଚଉଡ଼ା ବିଶାଳ ଧୂପକାଠିରେ ଅଗ୍ନି ସଂଯୋଗ କରାଯାଇଛି ।

ଅନ୍ୟପଟେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । ସଜେଇ ହୋଇଛି ପୁରା ସହର, ରାମ ମନ୍ଦିର ଯିବା ରାସ୍ତାରେ ଥିବା ସୁର ସମ୍ରାଜ୍ଞୀ ଲତା ମଞ୍ଜେସକର ଛକ ଆଲୋକ ମାଳାରେ ସଜେଇ ହୋଇଛି । ଲାଇଟ୍ ସୋ ଦେଖିବା ଲାଗି ଲୋକଙ୍କ ଭିଡ । ସତେ ଯେମିତି ସ୍ୱର୍ଗରୁ ତାରା ଆସି ଗଛରେ ଲାଗିଥିବା ଭଳି ଅନୁଭବ । ରାମମୟ ପରିବେଶରେ ସହରକୁ ବେଶ୍ ସୁନ୍ଦର ଭାବେ ସଜାଯାଇଛି । ପ୍ରଭୁ ରାମଙ୍କ ଆକର୍ଷଣୀୟ ଚିତ୍ର ସବୁ କାନ୍ଥବାଡ଼ରେ ଅଙ୍କାଯାଇଛି ।

ସେପଟେ ପ୍ରାଣ ପ୍ରତିଷ୍ଠା ପାଇଁ ଭକ୍ତଙ୍କ ଉତ୍ସାହ ଚରମ ସୀମାରେ । ଏବେଠାରୁ ଲାଗିଲାଣି ଭକ୍ତଙ୍କ ଗହଳି । ତେଣୁ ଅଯୋଧ୍ୟାରେ ଆକାଶ ଛୁଆଁ ହେଲାଣି ହୋଟେଲ ବୁକିଂ । ଗୋଟିଏ ରାତି ପାଇଁ ରୁମ୍‌ ରେଣ୍ଟ ଦେବାକୁ ପଡ଼ୁଛି ଲକ୍ଷେ ଟଙ୍କା । ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୂରା ଅଯୋଧ୍ୟା ସଜେଇ ହୋଇଛି ।

Leave A Reply

Your email address will not be published.