ଚମକୁଛି ଶ୍ରୀସେତୁ ଓ ଶ୍ରୀଦାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ। ଏହା ପୂର୍ବରୁ ପ୍ରସ୍ତୁତ ହୋଇଛି ଶ୍ରୀସେତୁ ଓ ଶ୍ରୀଦାଣ୍ଡ। ଶ୍ରୀସେତୁ ରାସ୍ତା ମଝି ଓ ପାର୍ଶ୍ବରେ ସୃଷ୍ଟି ହୋଇଛି ସବୁଜ ବଳୟ।

ଭଳିକି ଭଳି ଫୁଲ ଗଛ ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣରେ ଭରି ଦିଆଯାଇଛି ଏହି ନବନିର୍ମିତ ସେତୁ। ତୂରୀ ଆକୃତିର ଏହି ସେତୁ ଶ୍ରୀକ୍ଷେତ୍ରର ଟ୍ରାଫିକ୍‌ ସମସ୍ୟା ଦୂର କରିବ। ଯେଉଁଭଳି ଏହି ସେତୁକୁ ପରଷାଯାଉଛି, ଆଗାମୀ ଦିନରେ ଏହା ପର୍ଯ୍ୟଟକଙ୍କର ପ୍ରମୁଖ ଆକର୍ଷଣ ପାଲଟିବ। ସେପଟେ ବଡ଼ଦାଣ୍ଡର ଚାପ କମାଇବା ପାଇଁ ପ୍ରସ୍ତୁତ ହୋଇସାରିଛି ‘ଶ୍ରୀଦାଣ୍ଡ’। ସୌନ୍ଦର୍ଯ୍ୟୀକରଣ ପାଇଁ ରାସ୍ତାର ଦୁଇପାର୍ଶ୍ବରେ ନାନାଦି ଗଛ ରଖାଯାଇଛି। ଏହା ସାଙ୍ଗକୁ ରାସ୍ତାର ଦୁଇପାର୍ଶ୍ବରେ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ମୂର୍ତ୍ତି ଏହି ରାସ୍ତାର ଆକର୍ଷଣକୁ ଦ୍ବିଗୁଣିତ କରି ଦେଉଛି। ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତାରେ ଭରି ଦିଆଯାଇଛି ‘ଶ୍ରୀଦାଣ୍ଡ’।

କେଉଁଠି ସନାତନ ସଂସ୍କୃତିର ଝଲକ ପାଇଁ ଆଦି ଶଙ୍କରାଚାର୍ଯ୍ୟ ଓ ଶିଷ୍ୟଗଣଙ୍କ ପ୍ରତିମୂର୍ତ୍ତି, ଶ୍ରୀଚେତୖନ୍ୟଙ୍କ ପ୍ରତିମୂର୍ତ୍ତି, ଆଉ କେଉଁଠି ପ୍ରଭୁ ଶଙ୍କର ଓ ବୃଷଭଙ୍କ ପ୍ରତିମୂର୍ତ୍ତି ସ୍ଥାନିତ ହୋଇଛି। ଫୁଲ ଗଛ ସ୍ପର୍ଶ ଦେଇ ସମ୍ପୂର୍ଣ୍ଣ ପରିବେଶକୁ ଆଖିଝଲସା ରୂପ ଦିଆଯାଇଛି। ସମଭଳି ରୂପ ପାଇଁ ଶ୍ରୀସେତୁ। ଶ୍ରୀସେତୁର ଉଭୟ ପାର୍ଶ୍ବରେ ମହାପ୍ରସାଦ କୁଡ଼ୁଆଠାରୁ ଆରମ୍ଭ କରି ଅନ୍ୟାନ୍ୟ କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ରାସ୍ତାର ଶୋଭାବର୍ଦ୍ଧନ କରୁଛି। ଯେଉଁ ଭକ୍ତ ଅବା ପର୍ଯ୍ୟଟକ ଶ୍ରୀସେତୁ ଦେଇ ଆସି ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ପାର୍କିଂ କରି ଶ୍ରୀମନ୍ଦିର ଯିବେ, ସେମାନେ ଭିନ୍ନ ଅନୁଭୂତି ସାଉଁଣ୍ଟିବାକୁ ଯାଉଛନ୍ତି।

Leave A Reply

Your email address will not be published.