ଗାଡ଼ି ନମିଳିବାରୁ ମୃତଦେହକୁ କାନ୍ଧରେ ନେଇ ରାଜରାସ୍ତାରେ ପରିବାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏତେସବୁ ଯୋଜନା କାହାପାଇଁ। ଯୋଜନା ପାରିତ କରି ସରକାର ଖୁସି। ହେଲେ ସରକାରୀ ଯୋଜନା ପାଲଟିଛି ପ୍ରହସନ। କିନ୍ତୁ ସରକାର ନୀରବ ଦ୍ରଷ୍ଟା କାହିଁକି ବୋଲି ଏବେ ଜୋର ଧରିଛି ଚର୍ଚ୍ଚା। ତେବେ ସରକାରୀ ବ୍ୟବସ୍ଥାରେ ଥିବା ଯୋଜନାକୁ ଉପହାସିତ କରିଥିବା ଦାୟିତ୍ବହୀନ କର୍ମଚାରୀ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବାପଣିଆ ଦେଖାଇବେକି ସରକାର ବୋଲି ଉଠୁଛି ପ୍ରଶ୍ନ।

ଉଲ୍ଲେଖଯୋଗ୍ୟ ଦାୟିତ୍ବହୀନ କର୍ମଚାରୀଙ୍କ ପାଇଁ ଶବକୁ ହୋଇଛି ଅସମ୍ମାନ,ମିଳିଲାନି ମହାପ୍ରୟାଣ କିମ୍ବା ଆମ୍ବଲାନ୍ସ,ସମସ୍ତଙ୍କୁ ପୋଲିସ ମନା କରିଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର। ବାଧ୍ୟ ହୋଇ ପୋଷ୍ଟମୋର୍ଟମ୍ ପରେ ମୃତଦେହକୁ କାନ୍ଦରେ ବହି ରାଜରାସ୍ତାରେ ନେଲେ ପରିବାର। ବାରିପଦା ସହରର ରାଜରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ମୃତକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧିନସ୍ଥ ଦାମଦୋରପୁର ଅଞ୍ଚଳର ପ୍ରକାଶ ବିନ୍ଧାଣି। ଗତ ୬ ତାରିଖ ବୁଧବର ଦିନ ପ୍ରକାଶଙ୍କ ମୃତଦେହକୁ ନିଜ ଗାଁରେ ଥିବା ପ୍ରେମିକଙ୍କ ଘରୁ ସନ୍ଦେହଜନକ ଭାବେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ। ପୋଲିସ ଗତକାଲି ମୃତଦେହ ଜବତ କରି ଆଜି ପୋଷ୍ଟମୋର୍ଟମ୍ କରିବାପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲେ।

ତେବେ ଶବକୁ ଏଭଳି ରାସ୍ତାରେ ବହି ବହି ନେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବାରିପଦା ସହରର ପାଲବଣି ଗୋଲେଇ ନିକଟରୁ ପୋଲିସ ଜୋର ଜବରଦସ୍ତ ମୃତଦେହ ପରିବାର ଲୋକଙ୍କ ଠାରୁ ଛଡ଼ାଇନେଇ ନିଜ ଗାଡ଼ିରେ ନେଇଯାଇଛି। ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରିବା ସହ ନ୍ୟାୟ ଦାବୀରେ ମୃତକଙ୍କ ପରିବାର ଓ ସମ୍ପର୍କୀୟମାନେ ସଦର ଥାନାରେ ପହଞ୍ଚି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। ପର ମୁହୂର୍ତ୍ତରେ ବାରିପଦା ସଦର ଏସ.ଡି.ପି.ଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଉକ୍ତ ଘଟଣାରେ ସଦର ଥାନାରେ ଅପମୃତ୍ୟୁ ଓ ହତ୍ୟା ଘଟଣାର ଦୁଇଟି ମାମଲା ରୁଜୁ କରାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।

Comments are closed.