ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଉଦଘାଟିତ ହୋଇଛି। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି।

ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଭୁବନେଶ୍ବର ଜନତା ମଇଦାନରେ ଆସନ୍ତା ୫ ତାରିଖ ଯାଏଁ ଚାଲିବ ସମ୍ମିଳନୀ। ଏଥିରେ ଦେଶ ବିଦେଶର ଓଡ଼ିଆ ଭାଷାବିତ୍ ଯୋଗଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ। ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ। ଓଡ଼ିଆ କୁହ, ଶିଖ ଏବଂ ଲେଖ ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିର ବାଲୁକା କଳା ସହ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ଚିତ୍ରଶିଳ୍ପୀ ମାନଙ୍କ ଅଭିନବ ଚିତ୍ରକଳା ଦେଖିବାକୁ ମିଳିଛି। ଭାଷା ହିଁ ଭବିଷ୍ୟତ, ଭାଷାକୁ ସୁଦୃଢ କଲେ ଦେଶ ତଥା ରାଜ୍ୟ ସମୃଦ୍ଧ ହେବା ସହ ପରପିଢୀ ଓଡିଆ ଭାଷା ପ୍ରତି କିଭଳି ଅଧିକ ଯତ୍ନବାନ୍ ହେବ ସେଥିପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବିଏମସି କମିଶନର ସୂଚନା ଦେଇଛନ୍ତି।

ଏହି ଅବସରରେ ଓଡ଼ିଆ ଭାଷା ଓ ଭାଷା ବିଜ୍ଞାନ କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ସମ୍ମାନ’ ପ୍ରଦାନ କରାଯିବ। ଏତଦ୍‌ବ୍ୟତୀତ ଜ୍ଞାନପୀଠ, ପଦ୍ମ ପୁରସ୍କାର, ସାହିତ୍ୟ ଅକାଦେମି ପୁରସ୍କାର, କବୀର ସମ୍ମାନ ତଥା ରାଜ୍ୟ ଏକାଡେମିର ସର୍ବୋଚ୍ଚ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ଦିନ ୧୧ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା କାର୍ଯ୍ୟକ୍ରମ କରିଛି। ସମ୍ମଳନୀର ସମସ୍ତ କାର୍ଯ୍ୟକ୍ରମ ଲାଇଭ୍‌ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ସ୍ମାରକୀ ସ୍ବରୂପ ‘ଅକ୍ଷର ଭୂମି’କୁ ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଭାଷାକୁ ଭିତ୍ତି କରି ରାଜଧାନୀରେ ‘ଏକାମ୍ର ଉତ୍ସବ’ର ଆୟୋଜନ କରାଯାଇଛି।

Leave A Reply

Your email address will not be published.