ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ୍ମବେଦୀରେ ଦାରୁବ୍ରହ୍ମ । ଆଡପ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ ପାଇବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳୁ ସକାଳୁ ଭିଡ ଜମାଇଲେଣି । କୁହାଯାଏ ଏଇ ଆଡ଼ପ ଅବଢ଼ାରୁ କାଣିଚିଏ ପ୍ରାପ୍ତି ହେଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ। ଆଜିଠୁ ୫ ଦିନ ଯାଏଁ ଆଡ଼ପ ଅବଢ଼ା ମିଳିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବାରୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି ।
ମଙ୍ଗଳବାର ରାତିରେ ଜନ୍ମବେଦୀରେ ବିଜେ ହୋଇଛନ୍ତି ତିନିଠାକୁର । ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଆସି ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ ପାଇବେ ଓ ଅବଢ଼ା ଖାଇ ସ୍ୱଗୃହକୁ ଫେରିପାରିବେ ସେଥିନିମନ୍ତେ ବ୍ୟବସ୍ଥା କରାଯାଇଛି। ଗତକାଲି ସନ୍ଧ୍ୟା ୭ଟା ପରେ ରଥାରୂଢ ଦାରୁବ୍ରହ୍ମଙ୍କୁ ଗୋଟି ପହଣ୍ଡିରେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ବିଜେ କରାଇଛନ୍ତି ସେବାୟତମାନେ। ପ୍ରଥମେ ସୁଦର୍ଶନ ପରେ ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।
ବଳଭଦ୍ରଙ୍କ ପହଣ୍ଡି ବିଜେ ସମୟରେ ଅଘଟଣ ଘଟିଥିବା ବେଳେ ଅନ୍ୟ ନୀତିକାନ୍ତିଗୁଡିକ ସୁରୁଖୁରରେ ହୋଇଥିଲା । ରଥାରୂଢ ଶ୍ରୀଜିଉ ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଅନ୍ୟପଟେ ବନକଲାଗି ନୀତି ଯୋଗୁ ଆଜି ସନ୍ଧ୍ୟାରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଆଜି ପ୍ରଥମ ଆଡ଼ପ ଅବଢ଼ା ବାହାରିବ । ଆସନ୍ତା ୧୫ ତାରିଖ ତିନିଠାକୁର ଶ୍ରୀମନ୍ଦିର ଅଭିମୁଖେ ବାହୁଡା ଯାତ୍ରା କରିବେ । ସେପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଆଡ଼ପ ମଣ୍ଡପ ଦର୍ଶନ ଓ ଆଡ଼ପ ଅବଢ଼ା ମିଳିବ ।