ହାଣ୍ଡିଆ ପାଇଁ ସ୍ୱାମୀ ନେଲା ସ୍ତ୍ରୀ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (୧) କୋର୍ଟରେ ଶନିବାର ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ଅଭିଯୁକ୍ତ ଜଣକୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ୬ମାସର କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଶୂଳିଆପଦା ଥାନା ଅନ୍ତର୍ଗତ କାଠଗହଳା ଗ୍ରାମର ପୁଲିନ ମାରାଣ୍ଡି(୨୮)।

ସୂଚନାଯୋଗ୍ୟ, ପୁଲିନ ମାରାଣ୍ଡିଙ୍କ ସୁନି ମରାଣ୍ଡିଙ୍କ ସହିତ ପ୍ରେମ ବିବାହ ହୋଇଥିଲା। ଉଭୟ ମୂଳ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ପାରିବାରିକ ଜୀବନ ଖୁସିରେ କଟୁଥିଲା। ତେବେ ବିବାହର କିଛି ବର୍ଷ ପରେ ପୁଲିନଙ୍କ ପ୍ରତିଦିନ ହାଣ୍ଡିଆ ପିଇବାର ଅଭ୍ୟାସ ଆରମ୍ଭ ହୋଇଥିଲା। ଯାହା ଫଳରେ ସେ ଦିନ ରାତି ନିଶାଶକ୍ତ ହୋଇ ରହୁଥିବା ବେଳେ ମୂଳ ଲାଗିବାକୁ ଯାଉନଥିଲେ। ଏନେଇ ଗତ ୨୪/୦୯/୨୦୨୧ରେ ହାଣ୍ଡିଆ ପିଇବାକୁ ସ୍ତ୍ରୀ ସୁମୀଙ୍କୁ ପୁଲିନ ୨୦ଟଙ୍କା ମାଗିଥିଲା। ଉକ୍ତ ଦିନ ବର୍ଷା ହେବାରୁ ସ୍ତ୍ରୀ କାମ କରିବାକୁ ଯାଇ ପାରିନଥିବାରୁ ହାଣ୍ଡିଆ ପିଇବାକୁ ୨୦ଟଙ୍କା ଦେଇନଥିଲେ। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ପୁଲିନ ସ୍ତ୍ରୀ ମୁଣ୍ଡକୁ ବାଡେଇ ଦେଇଥିଲେ।

ଯାହା ଫଳରେ ସେ ଘଟଣାସ୍ଥଳରେ ବେହୋସ ହୋଇ ପଡିଯାଇଥିଲେ। ତାଙ୍କୁ ଆଣି ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥିତ ଏସସିବି ହସ୍ପିଟାଲକୁ ସ୍ଥାନତ୍ୱର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା। ଏନେଇ ସ୍ତ୍ରୀ ଶୁନି ମାରାଣ୍ଡିଙ୍କ ପିତା ଟୀକା ହାନ୍ସଦା ସ୍ଥାନୀୟ ଶୂଳିଆପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେଶ ନମ୍ବର ୧୪୮/୨୦୨୧ରେ ଏକ ମାମଲା ରୁଜୁ କରି ସ୍ୱାମୀ ପୁଲିନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ସରକାରୀ ଆଇନଜୀବୀ ପିପି କୃଷ୍ଣଚନ୍ଦ୍ର ଦାସ ମାମଲାକୁ ପରିଚାଳନା କରୁଥିଲେ।

Leave A Reply

Your email address will not be published.