ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି। ପୁଷ ପୂର୍ଣ୍ଣିମା ନାମରେ ଏହା ପରିଚିତ ଅଟେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଟ ଯାତ୍ରା ଅଟେ ଆଜିର ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି। ଆଜି ରତ୍ନସିଂହାସନରେ ଶ୍ରୀଜୀଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେବେ।

ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମାଆ ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିଥାନ୍ତି । ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ହେବା ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ । ଏହା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ବର ବେଶରେ ବିଭୂଷିତ ହେବେ । ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ତେବେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ। ତେବେ ବର୍ଷକ ମଧ୍ୟରେ ୫ ଥର ମହାପ୍ରଭୁ ସୁନେବେଶରେ ଦର୍ଶନ ଦେଉଥିବା ବେଳେ ଆଜି ଦିନରେ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମର୍ଚ୍ଚିକୋଟ ଛକ ଠାରୁ କରାଯାଇଥିବା ବ୍ୟାରିକେଡ଼ରେ ଭକ୍ତମାନେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ । ଏପଟେ ଆଜି ସ୍ବର୍ଗଦ୍ବାର ସମ୍ମୁଖ ବେଳାଭୂମିରେ ଏକ ଆଧ୍ୟାତ୍ମିକ ପରିବେଶରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ମହୋଦଧି ଆଳତୀ ଅନୁଷ୍ଠିତ ହେବ । ଏଥିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ବରିଷ୍ଠ ବ୍ୟକ୍ତି ବିଶେଷ, ସାଧୁ ସନ୍ଥମାନେ ଯୋଗ ଦେବେ ।

Leave A Reply

Your email address will not be published.