ରାଜଧାନୀରେ ରାଜନୀତିର ବିବାହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜଧାନୀରେ ରାଜନୀତି ବିବାହ । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁ ଥିବା ନିଶ୍ଚିତ । ରାଜନୀତି ବିବାହ ହେଉଛି, ମାନେ ବିଜେପି ଓ ବିଜେଡିର ବାହାଘର । ଆଉ ଏହି ବାହାଘର କରିଛି କଂଗ୍ରେସ । ତେବେ ତେଲେଙ୍ଗାନା ଥିଓରୀ ଓଡ଼ିଶାରେ ଆପଣଇଛି କଂଗ୍ରେସ । ତେଲେଙ୍ଗାନାରେ ବିଜେପି ଓ ବିଆରଏସ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ସମାନ ଫର୍ମୁଲା ପକାଇଛି କଂଗ୍ରେସ । ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସପର୍କ ଥିବା ଅଭିଯୋଗ ଆଣି ଉଭୟଙ୍କ ବାହାଘର କରୁଛି କଂଗ୍ରେସ । ଏପରି ଢଙ୍ଗରେ ବିବାହ କରି ବିଜେପି ଓ ବିଜେଡି କୁ କଟାକ୍ଷ କରିଛି କଂଗ୍ରେସ।
କଂଗ୍ରେସର ଏହି ନିଆରା ରଣନୀତି ରେ ଯୋଜନା ଅନୁସାରେ କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୁମଧାମରେ ବିଜେଡି ଓ ବିଜେପିର ବାହାଘର ହେବ । ଏଥିରେ ବିଜେଡି ବର ଓ ବିଜେପି କନିଆ ହେବ । ଆଉ ବାଜିବ ସହାନାଇ । ଜନତା ସଜିବେ ଅତିଥି । ଭୋଜି ଭାତର ବି ଆୟୋଜନ କରାଯାଇଛି । ଏପରିକି ଏଥିଲାଗି ବାହାଘର ନିମନ୍ତ୍ରଣ କାର୍ଡ ବି ପ୍ରସ୍ତୁତ କରାଯାଇଛି ।

ତେବେ, ୨୦୧୯ ପରଠାରୁ ରାଜ୍ୟରେ କ୍ଷମତାରେ ଥିବା ବିଜେଡି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଲକୁ ସମର୍ଥନ କରି ଆସିଛି। ଯେତେବେଳେ ବିରୋଧୀ କେନ୍ଦ୍ର ସରକାରକୁ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି, ସେତେବେଳେ ବିଜେଡି, ପାଖରେ ଛିଡ଼ା ହୋଇଛି। କେବଳ ଏତିକି ନୁହେଁ ଉଭୟ ଦଳର ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି। ଯାହାକୁ ନେଇ ଦୁଇ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ଜନତା, ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଆଉ ଏହାକୁ ନେଇ ବିରୋଧୀ କଂଗ୍ରେସ ବିଜେଡି-ବିଜେପିକୁ ଘେରି ଆସିଛି।

ଏପଟେ ଛାତ୍ର କଂଗ୍ରେସର ସଭାପତି ୟାସିର ନବାଜ କହିଛନ୍ତି, ୨୫ ବର୍ଷ ହେଲା ବିଜେପି ଓ ବିଜେଡି ଏକ ହୋଇ ଅଛନ୍ତି। ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି। ସେ ଆହୁରି କହିଛନ୍ତି, ଜଗନ୍ନାଥର ମାଟି ଓଡ଼ିଶା। ଏଠି ଲିଭ୍‌ ଇନ୍‌ ରିଲେସନ ଗ୍ରହଣୀୟ ନୁହେଁ। ବିଜେପି ଓ ବିଜେଡି ଲିଭ୍‌ ଇନ୍‌ ରିଲେସନରେ ଏତେ ବର୍ଷ ରହିବା ଠିକ୍ ନୁହେଁ। ଏଥିପାଇଁ ଉଭୟଙ୍କ ବିବାହ କରାଯାଉଛି। ବିଜେଡି ଓ ବିଜେପି ଏକ। ସେମାନେ ସାଧାରଣ ଲୋକଙ୍କ ପାଇଁ କେବେ ରାଜରାସ୍ତାକୁ ଓହ୍ଲାଇବେ ନାହିଁ। ଏଥିପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ସେମାନଙ୍କୁ ବିବାହ କରାଯାଇ ସେମାନଙ୍କୁ ଏକ କରାଯାଉଛି।

Leave A Reply

Your email address will not be published.