ସ୍ପଷ୍ଟ ହେଲା ମେଣ୍ଟ; ଆସନ୍ତା ୧୨ ତାରିଖରେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ପଷ୍ଟ ହେଲା ମେଣ୍ଟ | ଏକାଠି ହେବେ ବିଜେପି ଓ ବିଜେଡି | ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ବୈଠକ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ହୋଇଥିବା ବିଜେପିର କୋର୍ କମିଟି ବୈଠକ ପରେ ସୂଚନା ମିଳିଛି ଯେ, ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ।  ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି ।

ସୂଚନା ଅନୁଯାୟୀ, ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହିକ୍ରମରେ ଏବେ ବିଜେପି କେନ୍ଦ୍ରୀୟ ନେତୃବନ୍ଦ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । କିଛି ଦିନ ତଳେ ରାଜ୍ୟ ବିଜେପି ପ୍ରଭାରୀ ଓଡିଶା ଆସିଥିଲେ । ଏପିରିକି ବୁଧବାର ଦିନ ଓଡିଶାର ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଥିଲା । ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ରାଜ୍ୟ ବିଜେପି ନେତାଙ୍କ ସହ ଆଗାମୀ ନିର୍ବାଚନ ନେଇ ଆଲୋଚନା ହୋଇଥିଲା ।ସେହିପରି ଅନ୍ୟପଟେ ଓଡିଶାରେ ବିଜେଡି ସହ ବିଜେପିର ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି ।

ହେଲେ ଏବେ ଯାଏଁ କୌଣସି ଦଳ ପକ୍ଷରୁ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ହୁଏତ ଅମିତ ଶାହଙ୍କ ଗସ୍ତ ଅବସରରେ ମେଣ୍ଟ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ , ତେବେ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଏକାଠି ହେବେ ବିଜେଡି ଆଉ ବିଜେପି ଦଳ । ୨୦୦୯ରେ ଉଭୟଙ୍କ ମଧ୍ୟରେ ମେଣ୍ଟ ଭାଙ୍ଗିଥିଲା । ସେବେଠାରୁ ଉଭୟ ଦଳଙ୍କ ମଧ୍ୟରେ କୌଣସି ମେଣ୍ଟ ହୋଇନାହିଁ । ପ୍ରତି ନିର୍ବାଚନରେ ପରସ୍ପର ବିରୋଧରେ ନିର୍ବାଚନ ଲଢିଥିଲେ । ଯଦି ବିଜେଡି-ବିଜେପି ଦଳ ମଧ୍ୟରେ ମେଣ୍ଟ ହୁଏ । ତେବେ ଓଡିଶା ରାଜନୀତିରେ ପୁରୁଣା ଚିତ୍ର ଦେଖିବାକୁ ମିଳିବ ।

Leave A Reply

Your email address will not be published.