ବହୁ ପ୍ରତିକ୍ଷୀତ ସ୍ପୋର୍ଟସ କମ୍ପ୍ଲେକ୍ସ ଉଦ୍ଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ଜୟପୁରର ନୂତନ ସ୍ପୋର୍ଟସ କମ୍ପ୍ଲେକ୍ସ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଆଭାଷି ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ସ୍ପୋର୍ଟସ କମ୍ପ୍ଲେକ୍ସଟି ସରକାରଙ୍କ ଫାଇବ ଟି ଯୋଜନା ମାଧ୍ୟମରେ ପାଇବ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ନେତୃତ୍ଵରେ କାର୍ଯ୍ୟକାରିତା ହୋଇଅଛି। ଏହି କମ୍ପ୍ଲେକ୍ସ ଟି ପ୍ରାୟ ୫୨ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ଏହି ପ୍ରକଳ୍ପ ବହୂ ବର୍ଷ ଧରୀ ନିର୍ମାଣାଧୀନ ରହିଥିଲା ଯାହା ଆଜି ଫଳପ୍ରଦ ହୋଇ ଲୋକାର୍ପିତ ହୋଇଛି। ବିଗତ ଦିନରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ନିମ୍ନମାନର ଏବଂ କାର୍ଯ୍ୟ ପ୍ରଗତି ବିଳମ୍ବିତ ହେଉଥିବା ବିଭିନ୍ନ ଗଣମାଧ୍ୟ୍ୟମରେ ପ୍ରକାଶିତ ହୋଇଥିଲା। ଶେଷରେ ଆଜି ଏହି ପ୍ରକଳ୍ପ ଲୋକାର୍ପିତ ହେବା ସହ କାର୍ଯ୍ୟକ୍ଷମ ହୋଇଥିବାରୁ ଖେଳ ପ୍ରେମୀ ମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।

ଆଜିର ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ରୂପେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଯୁକ୍ତ ତୁଷାର କାନ୍ତି ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତିଭାସନ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଢାଲ,କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କେସିସି ବ୍ୟାଙ୍କ୍ ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝି, ବିଜେଡି ଜିଲ୍ଲା ସଭାପତି ଜିନ ହିକକା, ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା, ପୌର କାର୍ଯ୍ୟ ନିବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ପ୍ରମୁଖଙ୍କ ସହ ସମସ୍ତ କାଉନସିଲ ଏବଂ ସମସ୍ତ ପ୍ରାଶାସନିକ ଅଧିକାରୀଙ୍କ ସମେତ ଅନେକ ଭଦ୍ରବ୍ୟକ୍ତି ବୃନ୍ଦ ଏବଂ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଉକ୍ତ ମଞ୍ଚରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ଉଦବୋଧନରେ ରାଜ୍ୟ କ୍ରୀଡା ଜଗତରେ ଆଉ ଏକ ଅଧ୍ୟାୟ ଆରମ୍ଭ ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକୋମଳ ରେ କୋରାପୁଟ ଜିଲ୍ଲା ଜୟପୁର ଠାରେ ଆଜି ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ ର ଶୁଭ ଉଦଘାଟନ କରିଛନ୍ତି।

୧୧ ଏକର ପରିମିତ ଜୟପୁର ସ୍ପୋର୍ଟସ କମ୍ପ୍ଲେକ୍ସ ରେ ପ୍ରାକୃତିକ ଫୁଟ୍ ବଲ୍ ପଡ଼ିଆ, ସିଂଥେଟିକ୍ ଆଥ୍ଲେଟିକ୍ ଟ୍ରାକ ସହ ଦର୍ଶକ ଗ୍ୟାଲେରୀ ରହିଛି। ଏଥି ସହିତ ଅନ୍ତର୍ଜାତୀୟ ମାନର ଉପକରଣ ସହ ସୁଇମିଙ୍ଗ୍ ପୁଲ୍, ଜିମ୍ନଷ୍ଟିକ୍ ସେଣ୍ଟର୍, ଦୁଇଟି ସିଂଥେଟିକ ଆକାରର ଟେନିସ ସ୍କୋବ, ଗୋଟିଏ ବାସ୍କେଟ୍ ବଲ୍ ସ୍କୋବ ସହ ଅନ୍ୟାନ୍ୟ ଖେଳ ର ମଧ୍ୟ ସୁବିଧା ରହିଅଛି। ରାଜ୍ୟର କ୍ରୀଡ଼ା କୁ ସର୍ବୋଚ୍ଚ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ରାଜ୍ୟ ସରକାର ୧୬୦ ଜଣ କୃତି କ୍ରୀଡାବିତଙ୍କୁ ସରକାରୀ ଚାକିରିରେ ମଧ୍ୟ ନିଯୁକ୍ତି ପ୍ରଦାନ କରିଛନ୍ତି। କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଏବଂ ଉନ୍ନତ ତାଲିମ୍ ପ୍ରଦାନ କରି ଓଡ଼ିଶା ଏକ କ୍ରୀଡ଼ା ପ୍ରୋତ୍ସାହକ ରାଜ୍ୟ ଭାବେ ଆଗ ଧାଡିରେ ରହି ଆସିଛି। ରାଜ୍ୟ ସରକାର ବିଭିନ୍ନ କ୍ରୀଡ଼ା ରେ ବିପୁଳ ପୁଞ୍ଜି ନିବେଶ କରି କ୍ରୀଡାବିତ୍ ମାନଙ୍କୁ ସୁସ୍ଥତା ପ୍ରଦାନ କରିବା ସହିତ ଓଡ଼ିଶା ରାଜ୍ୟ କୁ କ୍ରୀଡ଼ା କ୍ଷେତ୍ରରେ ଏକ ନମ୍ବର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଫାଇବ୍ ଟି ଅଧ୍ୟକ୍ଷ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଥିଲେ |

Leave A Reply

Your email address will not be published.