ପ୍ରାଣ ପ୍ରତିଷ୍ଠା ପରେ ସର୍ବ ସାଧାରଣଙ୍କ ପାଇଁ ଖୋଲିଲା ରାମ ମନ୍ଦିର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରାଣ ପ୍ରତିଷ୍ଠା ପରେ ସର୍ବ ସାଧାରଣଙ୍କ ପାଇଁ ଖୋଲିଲା ରାମ ମନ୍ଦିର | ଆଜିଠୁ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଆରମ୍ଭ ହୋଇଯିବ ସର୍ବସାଧାରଣ ଦର୍ଶନ। ଦେଶର ବିଭିନ୍ନ ପ୍ରାନ୍ତରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ଆଜିଠୁ ସେମାନେ ନିଜ ପ୍ରିୟ ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦେଖି ପାରିବେ। ରଘୁନନ୍ଦନଙ୍କ ଦର୍ଶନ ପାଇଁ ଆଜି ଭୋର୍ 3ଟାରୁ ବହୁସଂଖ୍ୟାରେ ଭକ୍ତମାନେ ମନ୍ଦିର ପରିସରରେ ଭିଡ଼ ଜମାଇଛନ୍ତି । ସକାଳ 7ଟାରୁ ଆରମ୍ଭ ହୋଇଛି ପ୍ରଥମ ଦର୍ଶନ । ଯାହା ଦିନ 11ଟା 30 ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ଦର୍ଶନ ପରେ ପହୁଡ ପଡିବ । ପରେ ନିର୍ଦ୍ଧାରିତ ସମୟରେ ଦ୍ବିତୀୟ ଦର୍ଶନ ଆରମ୍ଭ ହେବ । ଚର୍ମଚକ୍ଷୁରେ ଭଗବାନଙ୍କ ଦର୍ଶନ ପାଇ ଶାନ୍ତ ହେଲା ଭକ୍ତର ଆତୁର ମନ ଓ ଆଖିକୁ ମିଳିଲା ଶାନ୍ତି ।

ରାମଲାଲାଙ୍କ ଦର୍ଶନ ପାଇଁ ଭୋର 3ଟାରୁ ମନ୍ଦିର ବାହାରେ ଭକ୍ତଙ୍କ ଭିଡ ଜମିଥିଲା । ରଘୁନନ୍ଦନଙ୍କୁ ଦର୍ଶନ କରିବାକୁ ଆତୁର ହେଉଥିଲେ ରାମଭକ୍ତ । ଦୀର୍ଘ 4 ଘଣ୍ଟାର ଅପେକ୍ଷା ପରେ ମନ୍ଦିର ମଧ୍ୟକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିଛି । ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ଯଜମାନତ୍ୱରେ ଅଯୋଧ୍ୟା ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ବା ସମର୍ପଣ ସମାରୋହ ଶେଷ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ୧୧ ଦିନିଆ ଧାର୍ମିକ ରୀତିନୀତି ପାଳନ କରିଥିଲେ। ଗତ ସପ୍ତାହରେ ରାମଲଲାଙ୍କ ନୂତନ ପ୍ରତିମା ମନ୍ଦିର ଗର୍ଭଗୃହରେ ସ୍ଥାପନା କରାଯାଇଥିଲା। ନବ ନିର୍ମିତ ରାମଙ୍କ ମୂର୍ତ୍ତି ମୁଗୁନି ପଥରରେ ନିର୍ମାଣ କରାଯାଇଛି। ଅତ୍ୟନ୍ତ ମନଲୋଭ ହୋଇଛି ପ୍ରଭୁଙ୍କ ଏହି ବାଲ୍ୟ ରୂପ। ଏକ ପଦ୍ମ ଫୁଲ ମଧ୍ୟରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ। ଏହି ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ହୋଇଛି।

Leave A Reply

Your email address will not be published.