ବିକାଶ ର ଗୁମର ଖୋଲୁଛି ରାସ୍ତା!

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଖୋଲୁଛି ବିକାଶର ଗୁମର, ରାସ୍ତା ଅଭାବରୁ ଷ୍ଟ୍ରେଚର ରେ ବୁହାହେଲେ ନବଜାତ ଶିଶୁ ଏବଂ ମାଁ! ଏବେ ରାସ୍ତା ଅଭାବରୁ ପ୍ରସୂତି ଜଣକୁ ଷ୍ଟ୍ରେଚର ଯୋଗେ ବୋହିଲେ ଗ୍ରାମବାସୀ, ଗର୍ଭବତୀ ମହିଳାଙ୍କୁ ଆଣିବା ପାଇଁ ଯାଇଥିଲା ଆମ୍ବୁଲାନ୍ସ, ହେଲେ ଭଲ ରାସ୍ତା ନଥିବାରୁ ଗାଁ ଠାରୁ ପ୍ରାୟ ଅଧକିଲୋମିଟର ଦୂରରେ ଅଟକି ଯାଇଥିଲା। ତେବେ ଗର୍ଭବତୀ ଜଣକୁ ଆଣିବା ଆଗରୁ ଘରେ ହିଁ ପ୍ରସବ ହୋଇଯାଇଥିଲେ।

ପରେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତର ବନୁଗୁଡ଼ା ଗ୍ରାମରେ। ସୂଚନା ଅନୁଯାୟୀ, ବନୁଗୁଡ଼ା ଗ୍ରାମର ନକୁଳ ସାନ୍ତାଙ୍କ ପତ୍ନୀ ବେଲବତୀ (22) ଆଜି ଅପରାହ୍ନରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ଜାଣିବା ପରେ ପରିବାର ଲୋକ ତୁରନ୍ତ ସ୍ଥାନୀୟ ଆଶାକର୍ମୀ ତୁଳସୀ ମୁଦୁଲି ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇବା ମାତ୍ରେ ଆମ୍ବୁଲାନ୍ସ ବନୁଗୁଡ଼ା ଅଭିମୁଖେ ବାହାରିଥିଲା। କିନ୍ତୁ ରାସ୍ତା ନଥିବାରୁ ଗାଁ ଠାରୁ 500 ମିଟର ଦୂରରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଇତି ମଧ୍ୟରେ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଲମତୀ ନିଜ ଘରେ ହିଁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

ଅନ୍ୟପଟେ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚର ଧରି ଗାଁରେ ପହଞ୍ଚିଥିଲେ। ପ୍ରସବ ପରେ ବେଲମତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଦେଖି ଗ୍ରାମବାସୀ ମୋବାଇଲ ଲାଇଟ୍‌ ଯୋଗେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ପରେ ବେଲମତୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପ୍ରସୂତି ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

Leave A Reply

Your email address will not be published.