ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ ପ୍ରକଳ୍ପ ନେଇ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର । କେନ୍ଦ୍ରକୁ ମାଗିଲେ ପରିବେଶ ଅନୁମତି । ଏ ସମ୍ପର୍କିତ ସମସ୍ତ ଦସ୍ତାବିଜ୍ କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । ପରିବେଶ ଅନୁମତି ମିଳିଲେ ପ୍ରକଳ୍ପ କାର୍ଯ୍ୟ ଆହୁରି ତ୍ୱରାନ୍ଵିତ ହେବ । ଏହା ଭିତରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି । ଏବେ ଲୋକଙ୍କ ଆପତ୍ତି ଅଭିଯୋଗ ଉପରେ ରାଜ୍ୟ ସରକାର ଶୁଣାଣି କରିବେ । ଏହି ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ୭ ହଜାରରୁ ଅଧିକ ଏକର ଜମି ଅଧିଗ୍ରହଣ ହେବ । ପ୍ରକଳ୍ପରେ ନିବେଶ ହେବ ୧ ଲକ୍ଷ କୋଟି ଟଙ୍କା।
ଏହି ଗ୍ରୀନ୍ ଫିଲ୍ଡ ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ରହିବ ୨୩ ନିୟୁତ ଟନ୍। ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ନିକଟରେ ଜାପାନ ଗସ୍ତରେ ଯାଇ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିପ୍ପନ ଷ୍ଟିଲ କର୍ପୋରେସନର ଅଧ୍ୟକ୍ଷ ଇଜି ହାସିମୋତୋଙ୍କୁ ଭେଟିଥିଲେ । ନିପନ୍ ଷ୍ଟିଲ୍ ଓ ଓଡ଼ିଶା ସରକାର ସହଭାଗିତାରେ କାର୍ଯ୍ୟ କରିବା ନେଇ କଣ ସୁଯୋଗ ରହିଛି ସେ ନେଇ ଆଲୋଚନା କରାଯାଇଥିଲା । ଏଭିତରେ କେନ୍ଦ୍ରାପଡାର ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ଅଞ୍ଚଳ ବୁଲି ଦେଖିଥିଲେ 5T ସଚିବ ଭି. କେ ପାଣ୍ଡିଆନ । ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ। ଏହି ଷ୍ଟିଲ ପ୍ଲାଣ୍ଟ କେବଳ କେନ୍ଦ୍ରାପଡା କି ଓଡ଼ିଶାର ନୁହେଁ ଭାରତର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ।