ଭୁବନେଶ୍ୱରରେ ‘ଯୁବା ସଂଗମ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି ୨୫୦୦ରୁ ଉର୍ଦ୍ଧ୍ୱ ଯୁବ ଛାତ୍ରଛାତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଭାରତ ସରକାରଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଯୋଡି ହୋଇଥିବା ଯୁବବର୍ଗଙ୍କ ଅନୁଭବରୁ ଯେଉଁ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ରହିଛି ତାହା ପ୍ରେରଣାଦାୟୀ ଓ ଉତ୍ସାହପୂର୍ଣ୍ଣ । ଯୁବା ସଂଗମ ସମାଜରେ ସ୍ନେହ ଓ ଶ୍ରଦ୍ଧା ସହ ଏକତାର ଭାବକୁ ଉଜାଗର କରୁଛି । ଏହା ଯୁବଶକ୍ତିଙ୍କୁ ଆମ ଐତିହ୍ୟର ଗଭୀରତା ସହ ଯୋଡିବା ସହ ବିଶ୍ୱ କଲ୍ୟାଣ ପାଇଁ ସେମାନଙ୍କର ଦାୟିତ୍ୱକୁ ଅନୁଭବ କରାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଯୁବା ସଂଗମ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ହେଉଛି ଏକ ଭାରତ-ଶ୍ରେଷ୍ଠ ଭାରତ । ଶିକ୍ଷାନୁଷ୍ଠାନ ଗୁଡିକରେ ଏହାକୁ କ୍ରିୟାନ୍ୱୟନ କରି ଆଜିର ଯୁବପିଢିଙ୍କୁ ଭାରତର ବିଭିନ୍ନ ରାଜ୍ୟକୁ ପର୍ଯ୍ୟଟକ ଭାବରେ ନେଇ ବୁଲାଇବା ଓ ସେଠାକାର ସାମାଜିକ ସମ୍ପର୍କ ସହ ସଂସ୍କୃତି ଓ ପରମ୍ପରାକୁ ଅନୁଭବ କରାଇବା ପାଇଁ ନେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଯୁବା ସଂଗମ ୨.୦ରେ ରାଜସ୍ଥାନ ଏନଆଇଟି ନେତୃତ୍ୱରେ ରାଜସ୍ଥାନ ଛାତ୍ରଛାତ୍ରୀମାନେ ନେତୃତ୍ୱରେ ଓଡ଼ିଶାକୁ ଆସିଛନ୍ତି । ଆଇଆଇଟି ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଆ ଛାତ୍ରଛାତ୍ରୀମାନେ ରାଜସ୍ଥାନ ଯାଇଥିଲେ । ଏହା ପୂର୍ବରୁ ଯୁବା ସଂଗମ ୧ରେ ସିକିମ ଛାତ୍ରୀଛାତ୍ରୀମାନେ ଏନଆଇଟି ରାଉରକେଲା ଆସିଥିଲେ ଏବଂ ଏନଆଇଟି ରାଉରକେଲା ନେତୃତ୍ୱରେ ଓଡ଼ିଆ ଛାତ୍ରଛାତ୍ରୀମାନେ ସିକିମ ଯାଇଥିଲେ । ଏବେ ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ଅଧୀନରେ ୪ ମାସ ମଧ୍ୟରେ ଯୋଡାଯାଇ ସାରିଲାଣି । ପାଖାପାଖି ଅଢେଇ ହଜାର ଯୁବ ଛାତ୍ରଛାତ୍ରୀ ଭାରତବର୍ଷର ସବୁ ରାଜ୍ୟକୁ ବୁଲିବା ପାଇଁ ଯାଉଛନ୍ତି । ଏହା ଦ୍ୱାରା ସମାଜରେ ଏକତାର ଭାବ, ସ୍ନେହ ଓ ଶ୍ରଦ୍ଧା ବଢୁଛି । ଏହା ହିଁ ଏକ ଭାରତର ମୂଳ ମନ୍ତ୍ର । ଯୁବା ସଂଗମକୁ ଆଗକୁ ଜାରୀ ରଖିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ । ପ୍ରତି ଦୁଇ ମାସକୁ ଥରେ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରତିଯୋଗିତା ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ବାହାରକୁ ନିଆଯିବ ଏବଂ ତାହାର ସବୁ ବ୍ୟବସ୍ଥା ଭାରତ ସରକାର ବହନ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜସ୍ଥାନରୁ ଆସିଥିବା ଯୁବବନ୍ଧୁମାନେ ପାରାଦୀପ ରିଫାଇନାରୀ ପରଦର୍ଶନ କରିଛନ୍ତି । ଏହି ପାରାଦୀପ ରିଫାଇନାରୀର ଢାଞ୍ଚା ହିଁ ଭାରତର ପରିବର୍ତ୍ତନକୁ ସୂଚିତ କରୁଛି । ସେହିପରି ରଘୁରାଜପୁରର କଳା କାରିଗରୀ ଦୁନିଆରୁ ସବୁ କଳାକୃତିଠୁ ଉର୍ଦ୍ଧ୍ୱରେ ବୋଲି ଅନୁଭବ ହୁଏ । ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିଜ ସନ୍ତାନ ଶରୀର ଅସୁସ୍ଥତା ଥିବା ସତ୍ତ୍ୱେ ସମାଜସେବା ପାଇଁ ଆଗେଇ ଆସିଥିଲେ । ସେହିଭଳି ଭାବରେ ଯୁବା ସଂଗମ ଅଧୀନରେ ରାଜସ୍ଥାନ ବୁଲିଥିବା ଓଡ଼ିଶାର ପିଲାମାନେ ଏବଂ ଓଡ଼ିଶା ବୁଲିଥିବା ରାଜସ୍ଥାନର ପିଲା ମାନଙ୍କର ଅନୁଭୂତିର ଏବଂ ସମର୍ପଣ ଭାବନା ଅବିଶ୍ୱାନୀୟ ଥିଲା । ଭାରତକୁ ଶ୍ରେଷ୍ଠ ଭାରତରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଉଦ୍ୟମ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଥିଲେ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆମର ସମସ୍ତ ଭାରତୀୟ ଭାଷା ଏକତ୍ୱ ଏବଂ ଆମର ଏକତ୍ୱ ହିଁ ଦେଶର ଶକ୍ତି । ପ୍ରଧାନମନ୍ତ୍ରୀ ସ୍ୱୟଂ ଏକ ଭାରତ –ଶ୍ରେଷ୍ଠ ଭାରତ ସହ ଯୋଡି ହୋଇ ଦେଶର ସାମୂହିକ ଇଚ୍ଛା, ଏକତ୍ୱ ଏବଂ ଚ୍ୟାଲେଞ୍ଚକୁ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ କେବଳ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ କରିନାହିଁ ବରଂ ଅନେକ ବିକଶିତ ରାଷ୍ଟ୍ରକୁ ପଛରେ ପକାଇଛି । ଆଜି ବିଦେଶରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରୁଛି । ଆଗାମୀ ୨୫ ବର୍ଷର ଅମୃତ କାଳରେ ଆମେ ସମଗ୍ର ବିଶ୍ୱର ଦାୟିତ୍ୱବାନ ନାଗରିକ ଭାବରେ ଅବତୀର୍ଣ୍ଣ ହେବା । ଭାରତକୁ ଅନେକ ସମୟ ପରାଧୀନତା ରଖିବା ପାଇଁ ଏଠାରେ ଟି.ବି.ମାକାଉଲେ ପଦ୍ଧତିର ଉପଯୋଗ କରାଯାଇଥିଲା । ଏବେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ପୂର୍ତ୍ତି ସମୟରେ ଆମକୁ ଏସବୁ କଥାକୁ ହଟାଇବାକୁ ପଡିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏଥିରେ ଦୈନିକ ସମ୍ବାଦପତ୍ର ସମାଜର ସମ୍ପାଦକ  ନିରଞ୍ଜନ ରଥ ଯୋଗଦେଇ ଯୁବା ସଂଗମକୁ ପ୍ରଶଂସା କରିବା ସହ ଯୁବପିଢିମାନେ ଲକ୍ଷ୍ୟ ପଥରେ ଯାଆନ୍ତୁ ଏବଂ ସଫଳ ହୁଅନ୍ତୁ ବୋଲି କହିଥିଲେ । ସେହିପରି ଲେଖକ ହରପ୍ରସାଦ ଦାସ ଯୋଗଦେଇ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଆମ ସମୟରେ ନଥିଲା । ଏଭଳି କାର୍ଯ୍ୟକ୍ରମ ବର୍ତ୍ତମାନ ସମୟରେ ଏକ ବଡ ଉପଲବ୍ଧି । ଯୁବା ସଂଗମ ନୂଆ ଭାରତର ପ୍ରତକ ବୋଲି କହିଥିଲେ ।

ସେହିପରି ରାଜସ୍ଥାନ ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ନିଜ ଅନୁଭୂତି ବର୍ଣ୍ଣନା କରିବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ଭଭିଷ୍ୟତରେ ବହୁତ କାମରେ ଆସିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.