ନୂଆ ରୂପ ପାଇବ ଏକାମ୍ରକ୍ଷେତ୍ର, ଖର୍ଚ ହେବ ୪୫୦ କୋଟି ଟଙ୍କା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ନୂଆ ରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଖର୍ଚ ହେବ ୪୫୦ କୋଟି ଟଙ୍କା। ୬୪ ଏକର ପରିମିତ ସ୍ଥାନରେ ହେବ ପ୍ରକଳ୍ପ କାର୍ଯ୍ୟ। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଆଉ ଏହି ପ୍ରକଳ୍ପକୁ ଆରମ୍ଭ କରିବାକୁ ଯାଇ ଏକାମ୍ର ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ୩ ଦିନ ଧରି କରାଯିବ । ଆସନ୍ତା ଜୁନ୍ ୨୬ରୁ ଆରମ୍ଭ ହେବ ଏକାମ୍ରକ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ କାମ । ଏଥିପାଇଁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବ ଏକାମ୍ରକ୍ଷେତ୍ର । ଆସନ୍ତା ୨୬ ୨୭ ଓ ୨୮ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏକାମ୍ର ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ କରାଯିବ। ୨୮ ଗୋଟି କଳସରେ ପାଣି ତୋଳାଯାଇ ପ୍ରଥମ ଦିନରେ ଯଜ୍ଞ ଆରମ୍ଭ ହେବ। ପଦ୍ମପାଖୁଡ଼ା ପଥରରେ ହେବ ଶିଳାନ୍ୟାସ। ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଯୋଗ ଦେବେ ରାଜ୍ୟ ବାହାରର ୨୩ ଜଣ ପଣ୍ଡିତ। କାଶ୍ମୀର ଓ ଋଷିକେଶରୁ ଏହି ପଣ୍ଡିତ ମାନେ ଆସି ଶିଳାନ୍ୟାସର ଏହି ମହାଘ୍ୟ ମହୋତ୍ସବରେ ସାମିଲ ହେବେ। ଲିଙ୍ଗରାଜ ମହାପ୍ରଭୁଙ୍କୁ ଆରାଧନା କରି ଶିଳାନ୍ୟାସ କରିବାକୁ ଥିବା ଶୁଭ ପର୍ବରେ ଅନେକ ଦିବ୍ୟ ଚେତନଧାରୀ ପଣ୍ଡିତ ମାନଙ୍କର ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ରେ ପୁରା ପରିବେଶ ଭକ୍ତିମୟ ହୋଇଉଠିବା।

ଜୁନ୍ ୨୮ରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଏହି ଭବ୍ୟ ସମାରୋହରେ ଯୋଗ ଦେବେ ପୁରୀର ଗଜପତି ମହାରାଜ। ତେଣୁ ତାଙ୍କର ଉପସ୍ଥିତିକୁ ନେଇ ଖୁସି ଥିବା କହିଛନ୍ତି ସେବାୟତ । ଏହାସହ ତିନିଦିନ ପୂଜାକୁ ନେଇ ପୁରା ଏକାମ୍ର କ୍ଷେତ୍ର ଚଳଚଂଚଳ ହୋଇଥିବା ବେଳେ ସ୍ଵଛ ଓ ଶୃଙ୍ଖଳିତ ପୂଜା ପାଇଁ କୁକୁରଙ୍କୁ ସେଠାରୁ ହଟାଯାଉଛି। ଅନ୍ୟପଟେ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସରେ ବି ପ୍ରଦର୍ଶନୀ ଲାଗିବା ସହ ପ୍ରୋଜେକସନ୍ ମ୍ୟାପିଂ କରାଯିବ । ଭଜନ ସମାରୋହରେ ଦେଶର ନାମୀଦାମୀ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଜରିଆରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା, ଭଜନ ମଣ୍ଡପ, ହେରିଟେଜ୍ ପାର୍କ, କେଦାର ଗୌରୀ ପ୍ଲାଜା, ବିନ୍ଦୁ ସାଗର କଡ଼ରେ ପଦଚାରୀଙ୍କ ପାଇଁ ରାସ୍ତା କାମ, ପୁଷ୍ପରିଣୀ ଗୁଡ଼ିକର ନବୀକରଣ, କେଦାର ଗୌରୀ ଓ ମୁକ୍ତେଶ୍ବର ମନ୍ଦିରର ପରିସରର ବିକାଶ, ଇ-ଅଟୋ ସର୍ଭିସ୍ ଓ ଟ୍ରାଫିକ୍ ମ୍ୟାନେଜମେଣ୍ଟ କାମ କରାଯିବ। ସେହିପରି ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା, ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା, ଶ୍ରୀ ଲିଙ୍ଗରାଜ ମନ୍ଦିର ସାମନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଛି । ଶ୍ରୀ ଲିଙ୍ଗରାଜ ଐତିହ ପ୍ରକଳ୍ପ ଅଧିନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ । ତେବେ ଏହି ପ୍ରକଳ୍ପ ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ୱାରା ଏହି ଐତିହ୍ୟ ପ୍ରକଳ୍ପ କରାଯିବାକୁ ରାଜ୍ୟ କ୍ୟାବିନେଟ ପୂର୍ବରୁ ଅନୁମୋଦନ କରିଛନ୍ତି ।

Leave A Reply

Your email address will not be published.