ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟର ସ୍ଥିତି ବୁଲି ଦେଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସଂଯୋଗ କରୁଥିବା ଓ ବିମାନବନ୍ଦର କାର୍ଯ୍ୟର ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପଜିଲ୍ଲାପାଳ ଓ ଜିଲ୍ଲା ପରିବହନ ଅଧିକାରୀଙ୍କୁ ସହ ପରିବହନ ମନ୍ତ୍ରୀ । ଶ୍ରୀଜଗନ୍ନାଥ ଧାମ ପୁରୀକୁ ସାରା ବିଶ୍ବ ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଶ୍ରୀକ୍ଷେତ୍ରକୁ ଗମନାଗମନ ସହଜ ଓ ସୁଗମ କରିବାକୁ ଅତ୍ୟାଧୁନିକ ବିମାନ ବନ୍ଦର ନିର୍ମାଣ ହେଉଛି । ପୁରୀ ସହର ଉପକଣ୍ଠ ଗିରଳ ଛକ ନିକଟରେ ହେବାକୁ ଏହି ଥିବା ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।
ଗତ ୩ ମାର୍ଚରେ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ (ଏସ.ଆଇ.ଏ – SIA) ତରଫରୁ ଗ୍ରାମୀଣ ବିକାଶ ଏବଂ ପରିବେଶ ବିଜ୍ଞାନର ଜାତୀୟ ପ୍ରତିଷ୍ଠାନ (ଏନ.ଆଇ.ଆର.ଡ଼ି.ଇ.ଏସ – NIRDES) “ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର” ନିର୍ମାଣ ପାଇଁ ଆବଶ୍ୟକ ଥିବା ବେସରକାରୀ ଜମି ସମ୍ପର୍କରେ ଗ୍ରାମ ବାସୀଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ଦୁଇଟି ଗାଁରେ ଜନଶୁଣାଣୀ ମଧ୍ୟ ସରିଛି।ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଦେଖିଛନ୍ତି। ପୁରୀ ଜିଲ୍ଲା ସିପସୁରୁବୁଲି ଅଞ୍ଚଳରୁ ବେସରକାରୀ ଜମି ୧୫୩.୩୭୦ ଏକର ଓ ଷଣ୍ଢପୁର ଅଞ୍ଚଳରୁ ବେସରକାରୀ ଜମି ୬୮.୧୧୦ ଏକର ରହିଛି । ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ମୋଟ ୧୧୦୦ ଏକର ଜମି ଅଧିଗ୍ରହଣ ନେଇ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ନୋଟିସ୍ ଜାରି ହେବାପରେ ଜମି ଅଧିଗ୍ରହଣ କରାଯିବ ।