ବିବାହ ବାର୍ଷିକୀ ସେଲିବ୍ରେସନ ଚାଲିଥିଲା ଫାଟିଲା ଗ୍ୟାସ ସିଲିଣ୍ଡର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିବାହ ବାର୍ଷିକୀ ସେଲିବ୍ରେସନ ଚାଲିଥିଲା ଫାଟିଲା ଗ୍ୟାସ ସିଲିଣ୍ଡର । ସିଲିଣ୍ଡର ବ୍ଲାଷ୍ଟରୁ ୫ ଜଣଙ୍କ ମୃତ୍ୟୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ମୁଶିର ଅଲ୍ଲୀ, ତାଙ୍କ ପତ୍ନୀ ହୁସନ୍‌ ବାନୋ, ତାଙ୍କ ଭଉଣୀଙ୍କ ଦୁଇ ଝିଅ ଉମା ଓ ହେନା ଏବଂ ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପରିବାରର 4 ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ଥିଲା ମୃତ ମୁଶିର ଅଲ୍ଲୀଙ୍କ ବିବାହ ବାର୍ଷିକୀ । ଏଥିପାଇଁ ଘର ପୁରା ଖୁସିରେ ଫାଟି ପଡୁଥିଲା । ବିବାହ ବାର୍ଷିକୀକୁ ଧୁମଧାମରେ ପାଳୁଥିଲେ ଦମ୍ପତି । ଏଥିପାଇଁ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳି ଲାଗି ରହିଥିଲା । ହେଲେ କିଏ ଜାଣିଥିବା ଏପରି କିଛି ଅଘଟଣ ଘଟିବ ବୋଲି । ବିବାହ ବାର୍ଷିକୀ ଖୁସି ଲୁହରେ ପରିଣତ ହୋଇଛି । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ଘରେ ସେଲିବ୍ରେସନ ଚାଲିଥିବା ବେଳେ ରାତି ପ୍ରାୟ 10.30 ସମୟରେ ଘରେ ସର୍ଟସର୍କିଟ ହୋଇଥିଲା । ଯାହା ଫଳରେ ଘରେ ଥିବା 2ଟା ସିଲିଣ୍ଡର ଫାଟି ଯାଇଥିଲା । ଭୟଙ୍କର ବିସ୍ଫୋରଣ ସହ ଘର ଛାତ ମଧ୍ୟ ଉଡିଯାଇଥିଲା । କେହି କିଛି ବୁଝିବା ଆଗରୁ ଘଟିଯାଇଥିଲା ଅଘଟଣ । ନିଆଁ ଝାସରେ ଆସି ଯାଇଥିଲେ ପରିବାର ସଦସ୍ୟ । ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ହେଲେ 5 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ 4 ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତକୁ ଅଣାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପରିବାରରେ ହସଖୁସିର ମାହୋଲ ଥିବା ବେଳେ ଅଚାନକ ଗ୍ୟାସ ବିସ୍ଫୋରଣ ସବୁ ଖୁସିକୁ ଛାରଖାର କରି ଦେଇଛି ।

Leave A Reply

Your email address will not be published.