ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳର ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ ‘ଜିନତ୍’। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଛି। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନତ୍ ‘ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି | ତେବେ ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଜିନ୍ନତ ରହୁଥିବା ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଏକ ବାରହା ଛଡ଼ାଯାଇଥିଲା।
ଯାହାକୁ ଗୋଡ଼ାଇ ଗୋଡ଼ାଇ ଶିକାର କରିଥିଲା ଜିନ୍ନତ। ସିମିଳିପାଳରେ ପହଞ୍ଚିବା ପରେ ଜିନ୍ନତର ଏହା ପ୍ରଥମ ଶିକାର ଥିଲା। ମହାରାଷ୍ଟ୍ରରୁ ଆସି ପହଞ୍ଚିବା ପରେ ତା’ର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ଵାସ୍ଥ୍ୟ ଠିକ୍ ଥିବା ନେଇ ରିପୋର୍ଟ ମିଳିବା ପରେ ତା’କୁ ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଛଡ଼ାଯାଇଥିଲା। ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରେ ଏହି ବାଘୁଣୀର ନାମ ଜିନ୍ନତ ରଖାଯାଇଥିଲା।
ଏଠାକୁ ଆସିବା ପରେ ତା’ର ନାମ ଗଙ୍ଗା ରଖାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏଠାରେ ବି ତା’ର ପୂର୍ବ ନାମରେ ପରିଚିତ ହେବ ବୋଲି ପିସିସିଏଫ ଡ. ସୁଶାନ୍ତ ନନ୍ଦ ସୂଚନା ଦେଇଥିଲେ। ଜିନ୍ନତର ବୟସ ଏବେ ୩ ବର୍ଷ। ଅକ୍ଟୋବର ୨୮ତାରିଖରେ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଥିବା ଅଢ଼େଇ ବର୍ଷୀୟା ମରାଠା ବାଘୁଣୀ ଯମୁନା ଦୁଇଟି ଶିକାର କରିବା ପରେ ତା’କୁ ନିକଟରେ ଦକ୍ଷିଣ ଶିମିଳିପାଳର କୋରକୁ ଛଡ଼ାଯାଇଥିଲା।