ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜଧାନୀରେ ଘନ କୁହୁଡ଼ି। ଆଜି ବଡ଼ି ଭୋରରୁ ଟ୍ୱିନ ସିଟିରେ ସବୁ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି। ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି | ଯୁଆଡେ ଚାହିଁବେ କେବଳ ଧୂଆଁ ଆଉ ଧୂଆଁ। ଦୁଇ ଦିନ ଧରି ଦୀପାବଳୀ ପାଳନ ବେଳେ ବାଣ ଫୁଟାଇବା ପରେ ଟ୍ବିନ୍ ସିଟିର ବାୟୁମଣ୍ଡଳ ପୁରା ପ୍ରଦୂଷିତ ହୋଇପଡିଛି।
ରାଜ୍ୟ ପ୍ରଦୂଷଣ ବୋର୍ଡର ନିୟମ କୁ ବେଖାତିର କରି ବହୁଳ ପରିମାଣରେ ବାଣ ଫୁଟାଇଛନ୍ତି ଟ୍ବିନ୍ ସିଟି ବାସୀନ୍ଦା। ପାଞ୍ଜିର ଦ୍ବନ୍ଦ୍ବ ଭିତରେ ୨ ଦିନିଆ ଦୀପାବଳି ପାଳନ ପରେ ଉଭୟ ସହରରେ ଅତି ସଙ୍ଗୀନ ସ୍ଥିତି ସୃଷ୍ଟି ହୋଇଛି । ୫୦ ମିଟର ଆଗକୁ ବି ଦେଖାଯାଉନି ରାସ୍ତା । ଖାଲି ଭୁବନେଶ୍ବର, କଟକ ନୁହଁ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ସେହିପରି କୁହୁଡିର ଚାଦରରେ ଘୋଡେଇ ହୋଇଛି ସମ୍ପୂର୍ଣ୍ଣ ଶ୍ରୀମନ୍ଦିର । ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି।
ସାଧାରଣ ଜନଜୀବନ ମଧ୍ୟ ବ୍ୟାଘାତ ହୋଇଛି। ଦୀପାବଳିରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ବଢ଼ିଛି। ଏଥିପାଇଁ ଏପରି କୁହୁଡ଼ି ହୋଇଥିବା ସନ୍ଦେହ କରାଯାଉଛି। ଆଜି ଠାରୁ ମଧ୍ୟ ଶୀତର ପ୍ରଥମ ଅନୁଭୂତି ପୁରୀରେ ଦେଖିବାକୁ ମିଳିଛି । ଘନ କୁହୁଡି ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିରକୁ ଢାଙ୍କି ରଖିଥିବା ବେଳେ ନୀଳଚକ୍ର ମଧ୍ୟ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହାନ୍ତି । ଅତ୍ୟଧିକ ମାତ୍ରାରେ ବାଣ ଫୁଟାଇବା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ।