ଏମିତି ଚାଲିଛି ଆମ ଗାଁ ଆମ ବିକାଶ: ୪ବର୍ଷ ପରେ ବି ୭୬୫୨ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଂଚମ ପାଳି ସରକାରର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ଆଜି ପଂଚାୟତିରାଜ ବିଭାଗର ସମୀକ୍ଷା କରିବାବେଳେ ଗ୍ରାମାଂଚଳ ଭିତ୍ତିଭୂମି ସୁଧାର ପାଇଁ ଗତ ୨୦୧୮-୨୯ରେ ମଞ୍ଜୁର କରିଥିବା ପ୍ରକଳ୍ପ ମଧ୍ୟରୁ ମୋଟ ୭୬୫୨ଟି ପ୍ରକଳ୍ପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୨୦୧୮ ମାର୍ଚ୍ଚରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ୧୫୫୪କୋଟି ଟଙ୍କାର ମୋଟ ୬୨୮୫୭ଟି ପ୍ରକଳ୍ପ ମଞ୍ଜୁର କରିଥିଲେ ସୁଦ୍ଧା ସେଥିରୁ ମାତ୍ର ୫୪୦୫୦ଟି ପ୍ରକଳ୍ପ ଗତ ୪ବର୍ଷ ମଧ୍ୟରେ ଶେଷ ହୋଇପାରିଛି । ଏପରିକି ୧୧୫୫ଟି ପ୍ରକଳ୍ପକୁ ଡ୍ରପ୍ କରିଦିଆଯାଇଥିବାବେଳେ ବାକି ୭୬୫୨ଟି ପ୍ରକଳ୍ପ କାର୍ଯ୍ୟ ଏବେବି ଅସମ୍ପୂର୍ଣ୍ଣ ରହିଥିବା ଆଜି ସମୀକ୍ଷାବେଳେ ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏହି ‘ଆମ ଗାଁ ଆମ ବିକାଶ’ ଯୋଜନା କାର୍ଯ୍ୟକାରୀ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ୪ବର୍ଷ ମଧ୍ୟରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଲକ୍ଷ୍ୟ ଓ ସଫଳତା ଏବଂ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ସମୀକ୍ଷା କରିଥିଲେ । ନିର୍ବାଚନୀ ଇସ୍ତାହାରରେ ଆମ ଗାଁ ଆମ ବିକାଶରେ ମଞ୍ଜୁର ସମସ୍ତ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଗ୍ରାମାଂଚଳରେ ମିଶନ ଶକ୍ତି ଗୃହ, ଲାଇବ୍ରେରୀ, ଗାଧୁଆ ଘାଟ, ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ମଞ୍ଜୁର କରାଯାଇଥିଲା । ପ୍ରତ୍ୟେକ ବ୍ଲକରେ ବିଶାଳ କାର୍ଯ୍ୟକ୍ରମ କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ କରୁଥିଲେ । ମାତ୍ର ଏବେ ୪ବର୍ଷ ପରେ ବି ଏସବୁ ପ୍ରକଳ୍ପ ମଧ୍ୟରୁ ୭୬୫୨ଟି ପ୍ରକଳ୍ପ ଶେଷ ନହେବା ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି। ସେହିପରି ଗତ ୪ବର୍ଷ ମଧ୍ୟରେ ଗ୍ରାମାଂଚଳରେ କଚ୍ଚା ଘରେ ବାସ କରୁଥିବା ୧୧ଲକ୍ଷ ପରିବାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦିଆଯାଇଛି । ଏହାସହିତ ୨୭.୨୮ଲକ୍ଷ ପରିବାରକୁ ଘର ମରାମତି ପାଇଁ ପ୍ରତ୍ୟେକଙ୍କୁ ୩ହଜାର ଟଙ୍କା ଲେଖାଏଁ  ମୋଟ ୮୧୯କୋଟି ଟଙ୍କା ସମେତ ବାକି ୮ଲକ୍ଷ ହିତାଧିକାରୀଙ୍କୁ ଶୀଘ୍ର ଗୃହ ନିର୍ମାଣ କରିଥିବାରୁ ପ୍ରୋତ୍ସାହନ ରାଶି ଦିଆଯାଇଛି। ସେହିପରି ଏପର୍ଯ୍ୟନ୍ତ ଗ୍ରାମାଂଚଳରେ ପ୍ରାୟ ୬୧ ପ୍ରତିଶତ ପରିବାର ପାଖରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପରେ ପାଣି ଉପଲବ୍ଧ କରାଯାଉଥିବା ନେଇ ପଂଚାୟତିରାଜ ବିଭାଗ ପକ୍ଷରୁ ଦାବି ହୋଇଛି । ଏବେ ଗ୍ରାମାଂଚଳର ପ୍ରତ୍ୟେକ ଘରକୁ ଟ୍ୟାପ୍ ଦ୍ୱାରା ଦୈନିକ ମୁଣ୍ଡପିଛା ୭୦ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ହୋଇଛି।୨୦୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ସମେତ ୧୩ହଜାର ଗାଁକୁ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ ହୋଇଛି ।

ସେହିପରି ୧୪ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ୭୭୦କୋଟି ଟଙ୍କାର ବ୍ୟବସାୟ ବ୍ୟବସ୍ଥା ହୋଇଛି । ୪ବର୍ଷ ମଧ୍ୟରେ ୮୨ହଜାର ଯୁବକଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରାଯାଇ ସ୍ୱାବଲମ୍ବୀ ଓ ସଶକ୍ତ କରିବାର ଲକ୍ଷ୍ୟ ହାସଲ ହୋଇଛି। ଗ୍ରାମାଂଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୧୨ହଜାରରୁ ଅଧିକ ଖେଳ ପଡ଼ିଆ ଓ ମିନି ଷ୍ଟାଡ଼ିୟମ ନିର୍ମାଣ ହୋଇଛି । ଫାଇଭ-ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନରେ ୭୮୦୦ରୁ ଅଧିକ ସ୍କୁଲକୁ ରୂପାନ୍ତ କରାଯାଇ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି । କୋଭିଡ୍ ସମୟରେ ପଂଚାୟତସ୍ତରରେ ୧୭ହଜାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା ହୋଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ନବୀନ ପଟ୍ଟନାୟକ ସରକାରର ୪ର୍ଥ ପାଳିର ମହତ୍ୱାକାଂକ୍ଷୀ ଯୋଜନା ‘ଆମ ଗାଁ ଆମ ବିକାଶ’ରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରୁ ସାଢ଼େ ୭ହଜାରରୁ ଅଧିକ ସଂଖ୍ୟକ ପ୍ରକଳ୍ପ କାହିଁକି ଗତ ୪ବର୍ଷ ବିତିଯାଇଥିଲେ ବି ଶେଷ ହୋଇପାରିନି ।

Leave A Reply

Your email address will not be published.