ମରଣାନ୍ତକ ଆକ୍ରମଣରେ ୩ଜଣ ଆହତ, ଜଣେ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତିରେ ଘରକୁ ଫେରୁଥିବା ବେଳେ ୩ଜଣ ଯୁବକଙ୍କୁ ସଙ୍ଗବଧ ମରଣାନ୍ତକ ଆକ୍ରମଣ ହୋଇଛି। ଯେଉଁଥିରେ ୩ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଏନେଇ ଉତ୍ତେଜିତ ଲୋକମାନେ ବାରିପଦା ଟାଉନ ଥାନାରେ ସମ୍ମୁଖରେ ଅନେକ ସଂଖ୍ୟାରେ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି। ସୂଚନା ଅନୁଯାୟୀ, ସ୍ଥାନୀୟ ତୁଳସୀଚୌରା ଅଞ୍ଚଳର ସେକ ମୁଜାହିଦ ତାଙ୍କ ଦୋକାନ ବନ୍ଦ କରି ସାହିଲ ଖାନ ଓ ଏମଡି ଅରସଦ ଅନସାରିଙ୍କ ସହିତ ରାତି ପ୍ରାୟ ୯ଟା ବେଳେ ଘରକୁ ଫେରୁଥିଲେ।

ସେ ଷ୍ଟେସନ ବଜାରରୁ ତୁଳସୀଚୌରା ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ୧୦ରୁ ଉର୍ଦ୍ଧ୍ବ ଅସମାଜିକ ଯୁବକ ତାଙ୍କୁ ଅଟକାଇ ଆଧାର କାର୍ଡ ଦେଖାଇବାକୁ କହିଥିଲେ। ସେମାନେ ଆଧାର ଦେଖିବା ପରେ ତାଙ୍କ ଜାତିକୁ ଆକ୍ଷେପ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥି ସହିତ ବାରିପଦା ଛାଡି ପଳାଇବାକୁ ଧମକ ଦେବା ସହ ସଙ୍ଗବଧ ଭାବେ ଆକ୍ରମଣ କରିଥିଲେ। ଏଥି ସହିତ ମାରଣାସ୍ତ୍ରରେ ଜୀବନରୁ ମାରିଦେବାକୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ପଥର ଫିଙ୍ଗି ମୁଣ୍ଡ ଫଟାଇବା ପରେ ସଙ୍ଗବଧ ଭାବେ ଆକ୍ରମଣ କରିଥିଲେ। ଏନେଇ ପୁଲିସ ପିସିଆରକୁ ଜଣାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଁଚି ନଥିଲା କିମ୍ବା କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ଅଭିଯୋଗ କରିଛନ୍ତି। ଆକ୍ରମଣରେ ସେମାନେ ଆହତ ହୋଇଥିବା ବେଳେ ତାଙ୍କ ଉଦ୍ଧାର କରି ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି।

ଏହାକୁ ନେଇ ଥାନାରେ ସମ୍ମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ଲୋକଙ୍କ ସମାଗମ ହୋଇଥିବା ବେଳେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା। ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଅସମାଜିକ ଯୁବକଙ୍କୁ ଗିରଫ କରିବା ଏବଂ କାର୍ଯ୍ୟରେ ଅବହେଳା କରିଥିବା ପିସିଆର ଭ୍ୟାନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଥାନା ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ତେବେ ଉକ୍ତ ଘଟଣା ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି ସମ୍ପୃକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ କହିଛନ୍ତି।

Leave A Reply

Your email address will not be published.