ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା। ମୂଳାଷ୍ଟମୀ ଅବସରରେ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମାଆଙ୍କର ଘଟ ସ୍ଥାପନ ସହ ଆବାହନ କରାଯାଇଛି। ଏଥିସହ ଶ୍ରୀମନ୍ଦିରରେ ପାଳିତ ହେବ ଦୁର୍ଗାମାଧବ ଉପାସନା। ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ। ସବୁଠି ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନା ପ୍ରଚଳନ ରହିଛି।
ଏହାକୁ ଶାକ୍ତ ତଥା ଗୁପ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ। ଏହି ଷୋଳଦିନ ମହିଳାମାନଙ୍କୁ ମା’ ବିମଳାଙ୍କ ମନ୍ଦିର ଭିତରକୁ ଯିବା ବାରଣ ଥାଏ। ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ୨୧ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରି ଦେବୀ ପୀଠ ମାନଙ୍କରେ ଷେଡଶ ଦିନାତ୍ମକ ପୂଜା ପାଇଁ ଆମନ୍ତ୍ରଣ କରିଛନ୍ତି। ଶାରଦୀୟ ପୂଜା ଅବସରରେ ଦେବୀ ଦୁର୍ଗାଙ୍କର ପୂଜା ଚାଲିଥିବାବେଳେ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଏକତ୍ର ଉପାସନାର ପରମ୍ପରା ରହିଛି।
ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ପୂଜାର୍ଚ୍ଚନା ଚାଲେ। ଏହି ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ ବଢିବା ପରେ ଭଣ୍ଡାରରୁ ମା’ ଦୁର୍ଗାଙ୍କ ସ୍ୱର୍ଣ୍ଣ ପ୍ରତିମା ଅଣାଯାଇ ରତ୍ନସିଂହାସନରେ ବିଜେ କରାଯିବ। ସୁଭଦ୍ରାଙ୍କ ଆଜ୍ଞାମାଳ ମା’ ଦୁର୍ଗାଙ୍କୁ ଲାଗି କରାଯିବ। ଦେବୀ ସୋମନାଥ ମଣ୍ଡପକୁ ବିଜେ ହେବା ପରେ ସେଠାରେ କୁମ୍ଭାଭିଷେକ ହେବ। ଆଜିଠୁ ଶ୍ରୀକ୍ଷେତ୍ରରେ ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡିପାଠ ଆରମ୍ଭ ହେବ।
Comments are closed.