ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚଳଚଞ୍ଚଳ ପୁରଠୁ ପଲ୍ଲୀ । ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ଦିନିଆ ଚନ୍ଦନ ଯାତ୍ରା। ସଧାରଣତଃ କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଚାଷୀ ଏହିଦିନ ଶୁଭ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଆନ୍ତି। ଏହା ସହିତ ଏହାକୁ ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ।
ଏହାସହ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନି ରଥ ନିର୍ମାଣ ଲାଗି ଆଜି ରଥକାଠ ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଉଛି। ଅପରାହ୍ନ ସାଢେ ୩ଟାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ବିମାନକୁ ବିଜେ କରିବା ପରେ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ବିମାନ ସହ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ।
ଚଳିତ ବର୍ଷ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଆଠ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ତିନି ଜଣ ଡିଏସପି ଓ ୬ ଜଣ ଆଇଆଇସିଙ୍କୁ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।