ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଶ୍ରାବଣ ଶୁକ୍ଳପକ୍ଷ ପ୍ରତିପ୍ରଦା ତିଥିରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଖସାପଡ଼ା ନୀତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ଦାରୁଦିଅଁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରୁ ଖସାପଡ଼ା ନୀତି ଅନ୍ୟତମ। ଏଥିପାଇଁ ଅପରାହ୍ଣ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ଖସାପଡ଼ା ନୀତି ଶେଷ ହେବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ମଇଲମ ନୀତି ଅନୁଷ୍ଠିତ ହେବ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଶ୍ରୀଦେବୀ, ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ।
ପରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ। ଏହା ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ନୀତି ଶେଷ କରି ଦଇତାପତିମାନେ ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ହେବ। ପରେ ମହାପ୍ରଭୁଙ୍କ ମଇଲମ ବେଶ ଓ ସନ୍ଧ୍ୟା ଆଳତି ବଢ଼ି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ।