ଆଜି ଶ୍ରୀଜିଉଙ୍କ ଅଧରପଣା: ରଥ ଉପରେ ଅନୁଷ୍ଠିତ ହେବ ନୀତିକାନ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରି ସରି ଆସୁଛି ବଡଦାଣ୍ଡରେ ଶ୍ରୀଜିଉଙ୍କ ଲୀଳାଖେଳା। ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ରଥାରୁଢ ପ୍ରଭୁଙ୍କ କାଲି ସୁନାବେଶ ସରିବା ପରେ ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି । ସନ୍ଧ୍ୟାରେ ରଥ ଉପରେ ଶ୍ରୀଜିଉଙ୍କ ଠାରେ ଅଧରପଣା ଲାଗି ହେବ । ତିନି ରଥରେ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ସର, କଦଳୀ, ଛେନା, ଗୋଲମରିଚ, କର୍ପୁର, ଜାଇଫଳ ଆଦି ଦ୍ରବ୍ୟ ପଡି ପଣା ପ୍ରସ୍ତୁତ ହୋଇଥାଏ । ୯ଟି ହାଣ୍ଡିରେ ପଣା କରାଯାଇ ହାଣ୍ଡିକୁ ସାମଗ୍ରୀରେ ପ୍ରସ୍ତୁତ ୯ଟି ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଅଶରିରୀଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ।

ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ଏହି ପଣା ପ୍ରଭୁଙ୍କୁ ସମର୍ପଣ କରାଯିବ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତି ରଥରେ ଶ୍ରୀଜୀଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହେବ। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅ ପାଣିରେ ପଣା ପ୍ରସ୍ତୁତ ହେବ। ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହି ଅଧର ପଣା ଆସିଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ପଡି ଏହି ଅଧର ପଣାକୁ ପ୍ରସ୍ତୁତ କରାଯାଏ। ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ ।

ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ଵ ଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ତେବେ ରଥ ଉପରେ ଆଉ ମାତ୍ର ଦୁଇ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ଥିବାରୁ ସକାଳୁ ସକାଳୁ ରଥ ନିକଟରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି ।

Leave A Reply

Your email address will not be published.