ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଣସର ଘରେ ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ। ଏ ନେଇ ପବିତ୍ର ଏକାଦଶୀ ତିଥିରେ ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହେବ । ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳମୋଦକ ପ୍ରସ୍ତୁତ ହୋଇଛି ।
ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୂର୍ବେଦ ଚେରମୂଳରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ କରି ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି। ତା’ ପରେ ମହାପ୍ରଭୁଙ୍କ ନିକଟରେ ଖଳି ପହଞ୍ଚିବ । ଏହାପରେ ଖଲି ଲାଗି କରାଯିବ । ଏହି ଅବସରରେ ମହାପ୍ରଭୁଙ୍କ ସୁସ୍ଥତାର ପ୍ରମାଣ ସୂରୁପ ଅଣସରରେ ମହାପ୍ରଭୁଙ୍କୁ ଲାଗି ହୋଇଥିବା କରାଳ ଚନ୍ଦନ, ଚନ୍ଦନ, ପାଟ ଡୋରକୁ ଏକ ରୂପା ଥାଳିରେ ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ ।
ଏହାପରେ ଗଜପତି ମହାରାଜାଙ୍କ ସହ ରଥ ଯାତ୍ରାର ସୁପରିଚାଳନା ସମ୍ପର୍କରେ ଆଲୋଚନା କରାଯିବ ।ସେପଟେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ବି ସରି ସରି ଆସୁଛି। ବିଶ୍ବକର୍ମା ମହାରଣାମାନେ ରଥ ସିଂହାସନ ଓ ପ୍ରଭା ନିର୍ମାଣରେ ଲାଗିଥିବାବେଳେ ଚିତ୍ରକାର ସେବକ ହଂସ ପଟା, ଶିଖର ଡମ୍ବରୁ, ଅଁଳା ସହ ପାର୍ଶ୍ବ ଦେବ ଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ ଚକ, କୋଣ ଗୁଜ ଓ ପଟା ଗୁଜରେ ରଙ୍ଗ କାର୍ଯ୍ୟ କରିଛନ୍ତି |