ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳିଯାଇଛି । ବନ୍ଦ ଘର ଭିତରୁ ୨ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର କାଜ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ସୁଶାନ୍ତ ଦାସ ଓ ଜଗବନ୍ଧୁ ବେହେରା। ସେମାନେ ମଇଁଷି ଫାର୍ମର କର୍ମଚାରୀ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟା ସମୟରେ ମଇଁଷି ଫାର୍ମର ମାଲିକ ଅଜୟ ସୁଶାନ୍ତ ଓ ଜଗବନ୍ଧୁଙ୍କ ସହ କଥା ହୋଇଥିଲେ। ପରେ ରାତି ପ୍ରାୟ ଗୋଟାଏ ୪୦ ମିନିଟ୍ ସମୟରେ ସୁଶାନ୍ତ ଓ ଜଗବନ୍ଧୁ ଅଜୟଙ୍କୁ ଫୋନ୍ କରିଥିଲେ। ଅଜୟ ଶୋଇପଡ଼ିଥିବାରୁ ସେ ଫୋନ୍ ଉଠାଇ ପାରି ନଥିଲେ। ଅଜୟ ସକାଳେ ସୁଶାନ୍ତ ଓ ଜଗବନ୍ଧୁ ଫୋନ୍ କରିଥିବା ଦେଖି ସେମାନଙ୍କୁ କଲ୍ବ୍ୟାକ୍ କରିଥିଲେ। ହେଲେ ସେମାନେ କେହି ଉଠାଇ ନଥିଲେ। ଏନେଇ ଅଜୟଙ୍କର ସନ୍ଦେହ ହୋଇଥିଲା।
ସେ ନିଜ ମଇଁଷି ଫାର୍ମ ନିକଟକୁ ଆସି କବାଟ ବାଡେଇ ସୁଶାନ୍ତ ଓ ଜଗବନ୍ଧୁଙ୍କୁ ଡାକିଥିଲେ। ହେଲେ କେହି କବାଟ ଖୋଲି ନଥିଲେ। ପରେ ଅଜୟ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ସୁଶାନ୍ତ ଓ ଜଗବନ୍ଧୁଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ସୁଶାନ୍ତ ଓ ଜଗବନ୍ଧୁଙ୍କୁ କିଏ ଓ କାହିଁକି ହତ୍ୟା କଲା ନା ସେମାନେ ଆତ୍ମହତ୍ୟା କରିଛନ୍ତି ତାଦର କାରଣ ଜଣାପଡ଼ିନାହିଁ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ବନ୍ଦ ଘରେ କେଉଁ ଗୁମର ଲୁଚି ରହିଛି ପୁଲିସ ତାଦର ଖୋଳତାଡ଼ କରୁଛି।