ଓଡ଼ିଆ ସାମ୍ବାଦିକତା ଗୁଣାତ୍ମକ ହେଉ, ଏହା ମୋର ଅପେକ୍ଷା: ନ୍ୟୁଜ ୭ ଓ ଡିଜିଟାଲ ଓ୍ୱିଙ୍ଗର ସ୍ୱନକ୍ଷତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଲୁକ୍କାୟିତ ଜ୍ଞାନ, ସମ୍ପନ୍ନତାକୁ ପ୍ରସ୍ଫୁଟିତ କରିବାକୁ ହେବ । ଓଡ଼ିଆ ଜାତି, ଭାଷା ସାହିତ୍ୟ, ଜନଜୀବନ, ସ୍ୱାଭିମାନ ଓ ପରମ୍ପରାକୁ ଆଗକୁ ନେବା ପାଇଁ ଆମକୁ ସଂକଳ୍ପ କରିବା ପାଇଁ ପଡିବ ବୋଲି ଶନିବାର ଭୁବନେଶ୍ୱର ଠାରେ ପ୍ରମେୟ, ନ୍ୟୁଜ ୭ ଓ ଡିଜିଟାଲ ଓ୍ୱିଙ୍ଗର ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରମେୟ ଗ୍ରୁପର ଜନ୍ମୋତ୍ସବ ଅବସରରେ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ଭୂମି ସୃଜନଶୀଳ ପ୍ରତିଭାରେ ଭରପୂର ଥିଲା । ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିର ବୈଜ୍ଞାନିକ ପୃଷ୍ଠଭୂମି, ଉତ୍ତମ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା ଓ ଉତ୍କର୍ଷ କଳାର ସର୍ବଶ୍ରେଷ୍ଠ ଉଦାହରଣ ଦେଉଛି । ଏକବିଂଶ ଶତାବ୍ଦୀରେ ସେହି ଆତ୍ମାକୁ ଆମକୁ ପୁର୍ନଃଜୀବିତ କରୁବାକୁ ପଡିବ । ଦକ୍ଷତା ସବୁବେଳେ ଆର୍ଥିକ ସମ୍ଭାବନା ପ୍ରଦାନ କରେ । ଜାତୀୟ ଶିକ୍ଷା ନୀତିରେ କ୍ରିଏଟିଭ୍ ସ୍କିଲକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ।

ଆମ ଓଡ଼ିଆ ସମାଜ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନୁଯାୟୀ । ଏ ଓଡ଼ିଆ ଜାତି ଦିନେ ବିଶ୍ୱର ନେତୃତ୍ୱ ନେଇଥିଲା । ବିଶ୍ୱରେ କଳା, ସଂସ୍କୃତି ଓ ବ୍ୟବସାୟରେ ନିଜ ରେଖା ଟାଣିଥିଲା । ଅତୀତରେ ବିଶ୍ୱରେ ନିଜର କୀର୍ତ୍ତି ଦେଖାଇଥିବା ଓଡ଼ିଆ ଲୋକମାନଙ୍କର ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ଆବଶ୍ୟକତାକୁ ପୂରଣ କରିବାର ସବୁ ଦକ୍ଷତା ରହିଛି । କଳିଙ୍ଗ ଯୁଦ୍ଧ ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ । ବାସ୍ତବରେ ଦେଖିବାକୁ ଗଲେ ଓଡ଼ିଆ ଲୋକଙ୍କ ଇଚ୍ଛାଶକ୍ତି ହିଁ ଅଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲା । ସେହିପରି ଓଡ଼ିଶା ଏକ ଭାଷାଭିତ୍ତିକ ରାଜ୍ୟ । ଯେ କୌଣସି ସମାଜ ଓ ଜାତି ତା’ର ମୌଳିକ ଚିନ୍ତାଧାରାକୁ ନିଜ ଭାଷାରେ ପରିପ୍ରକାଶ କରିବ ନାହିଁ ତେବେ ସେହି ଜାତି ଆଗକୁ ବଢିବା ଅସମ୍ଭବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାବନାତ୍ମକ ରାଜ୍ୟ ଓଡିଶାରେ କଳାର ଲୋକପ୍ରିୟତା ରହିଛି । ଓଡିଆ ସିନେମା ନିରାଶା ଆଣୁଥିବା ବେଳେ ଏବେ ଦମନ ଓ ପ୍ରତୀକ୍ଷା ଭଳି ଦୁଇଟି ଚଳଚ୍ଚିତ୍ର ଏକବିଂଶ ଶତାବ୍ଦୀରେ ଓଡ଼ିଆ ଜନମାନସର ସ୍ୱଳ୍ପ ଯୁବ ପ୍ରତିଭାର ଝଲକ ଦେଖାଇଛି ।

ବର୍ଷ ୨୦୨୩ ଭାରତ ପାଇଁ ଅନେକ ସମ୍ଭାବନା ଆଣିବ । ଜି-୨୦ରେ ଭାରତର ଅଧ୍ୟକ୍ଷତା ଗୌରବର ବିଷୟ । ଓଡ଼ିଶାରେ ମଧ୍ୟ ଏପ୍ରିଲ ମାସରେ ଶିକ୍ଷା ବିଭାଗ, ଶକ୍ତି ବିଭାଗ ଓ ସଂସ୍କୃତି ମନ୍ତ୍ରଣାଳୟର ଜି-୨୦ ସବ୍ କମିଟି ବୈଠକ ଅନୁଷ୍ଠିତ ହେବ । ଓଡ଼ିଶା ସହ ସମ୍ପର୍କ ଥିବା ଏହି ତିନୋଟି ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେଉଛି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାହସ, ନିରପେକ୍ଷ, ଆଲୋଚନା, ସମାଲୋଚନା, ପ୍ରଶଂସା, ସକରାତ୍ମକ ମନୋବୃତ୍ତି ସହ ଖବର ପ୍ରକାଶ କରିବା ହେଉଛି ସାମ୍ବାଦିକତାର ଅନ୍ୟନାମ । ସ୍ୱାଧୀନତା ପୂର୍ବରୁ କୁଜିବର ପତ୍ରିକା, ଜନାରୁଣ, ପ୍ରବୋଧଚନ୍ଦ୍ରିକା, ଅରୁଣୋଦୟ, ଉତ୍କଳ ଦୀପିକା, ବୋଧଦାୟିନୀ, ବାଲେଶ୍ୱର ସମ୍ବାଦ ବାହିକା, ସମ୍ବଲପୁର ହିତୈଷଣୀ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିଲା। ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ପ୍ରମେୟ ଓ ନ୍ୟୁଜ୍ ୭ ଭଳି ଅନେକ ଗଣମାଧ୍ୟମ ସମୂହ ଓଡ଼ିଆ ଆତ୍ମାକୁ ଜାଗ୍ରତ କରିବା ଏବଂ ଓଡ଼ିଆ ସମାଜକୁ ମାର୍ଗଦର୍ଶନ କରିବାରେ ନିଜ ନିଜର ଗୁରୁ ଦାୟିତ୍ୱ ତୁଲାଉଛନ୍ତି । ଆଗାମୀ ଦିନରେ ଓଡ଼ିଆ ସାମ୍ବାଦିକତା ଗୁଣାତ୍ମକ ହେଉ, ଓଡ଼ିଶାର ଜଣେ ନାଗରିକ ଏହା ମୋର ଅପେକ୍ଷା ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.