ଜଙ୍ଗଲକୁ ନିଆଁରୁ ମୁକ୍ତ ରଖିଲେ ଗ୍ରାମବାସୀଙ୍କୁ ମିଳିବ ପୁରସ୍କାର

ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରକୃତିର ଅନନ୍ୟ ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନି ଦାଉରୁ କିପରି ସୁରକ୍ଷା ପ୍ରଦାନ ହେବ ସେନେଇ ବନ ବିଭାଗର ପ୍ରସ୍ତୁତି ଚୂଡାନ୍ତ ସରିଛି । ଶନିବାର ଶିମିଳିପାଳ ପୀଠାବଟା ଫାଟକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବନାଗ୍ନୀ ନିୟନ୍ତ୍ରଣ ପ୍ରସ୍ତୁତି ହିତାଧିକାରୀଙ୍କ କର୍ମଶାଳାରେ ଏହାର ବିସ୍ତୃତ ସୂଚନା ଦିଆଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ ପ୍ରକାଶ ଚନ୍ଦ୍ର ଗୋଗିନେନୀ କର୍ମଶାଳାକୁ ସମ୍ବୋଧିତ କରିଥିଲେ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପ୍ରଦାନ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହିତ ସ୍ଥାନୀୟ ଲୋକମାନଙ୍କୁ ଜରିଆରେ ସଚେତନ ସୃଷ୍ଟି କରିବା ମୁଖ୍ୟ ବିଷୟ ରହିଛି। ପୂର୍ବର ତଥ୍ୟକୁ ଦେଖିଲେ ମାର୍ଚ୍ଚ ମାସର ଆରମ୍ଭ ବେଳକୁ ବନାଗ୍ନି ଘଟଣା ଭୟଙ୍କର ଭାବେ ସମ୍ମୁଖକୁ ଆସିଥାଏ। ସାଧାରଣତଃ ଶିକାର ଉଦ୍ଦେଶ୍ୟରେ କିମ୍ବା ମହୁଲ ଫୁଲ ସଂଗ୍ରହ ପାଇଁ ଲୋକମାନେ ଅଗ୍ନି ସଂଯୋଗ ଦ୍ଵାରା ବନାଗ୍ନି ସ୍ଥିତି ଦେଖିବାକୁ ମିଳିଥାଏ।

ତେବେ ଚଳିତ ଋତୁ ଆରମ୍ଭ ପୂର୍ବରୁ ବନାଗ୍ନି ଘଟଣାକୁ ସମ୍ପୂର୍ଣ୍ଣ ମାତ୍ରାରେ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହାୟତାରେ ବ୍ୟାପକ ସଚେତନତା ସୃଷ୍ଟି କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଫାୟାର ପଏଣ୍ଟ ଗୁଡିକୁ ନେଇ ଏକ ମ୍ୟାପ ପ୍ରସ୍ତୁତ ହୋଇଛି। ଯାହାକୁ ପ୍ରତି ରେଞ୍ଜ ଅନୁଯାୟୀ କର୍ମଚାରୀଙ୍କୁ ଫାୟାର ପଏଣ୍ଟ ବାବଦରେ ଜଣାଇବା ସହ ଉକ୍ତ ସ୍ଥାନ ପ୍ରତି ସଜାଗ ରହିବାକୁ କୁହାଯାଇଛି। ଜଙ୍ଗଲ ଅଞ୍ଚଳର ଅଧିବାସୀ ମାନେ ମହୁଲ ସଂଗ୍ରହ ପାଇଁ ଶୁଖିଲା ପୋଡିବା ସ୍ଥାନ ପରିଷ୍କାର ପାଇଁ ଅଗ୍ନି ସଂଯୋଗ କରିଥିବା ବେଳେ ତାହା ଜଙ୍ଗଲ ବ୍ୟାପିଥାଏ। ତେଣୁକରି ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ସହ ଫାୟାର ଲାଇନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ୫ଗୋଟି ବନଖଣ୍ଡରେ ବନାଗ୍ନି ନିୟନ୍ତ୍ରଣ ପାଇଁ ୫୦୫ଜଣ ଫାୟାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରେ ପ୍ରତି ଦିନ ମଜୁରୀ ଅନୁଯାୟୀ ଠିକା କର୍ମଚାରୀ ମଧ୍ୟ ନିୟୋଜିତ କରାଯାଇଛି।

ବନାଗ୍ନି ନିୟନ୍ତ୍ରଣ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ସମୁଦାୟ ୫ହଜାର କିଲୋମିଟର ଫାୟାର ଲାଇନ ସୃଷ୍ଟି କରାଯିବ। ସେଥି ମଧ୍ୟରେ ବାରିପଦା ବନଖଣ୍ଡରେ ୧ହଜାର କିଲୋମିଟର, ରାଇରଙ୍ଗପୁର ବନଖଣ୍ଡରେ ୬୦୦ କିଲୋମିଟର, କରଞ୍ଜିଆ ବନଖଣ୍ଡରେ ୧୧୦୦କିଲୋମିଟର ସହିତ ଅନ୍ୟାନ୍ୟ ସ୍ଥାନର ଫାୟାର ଲାଇନ ରହିଛି। ବନାଗ୍ନି ସ୍ଥିତି ଅନୁଧ୍ୟାନ ପାଇଁ ମୟୁରଭଞ୍ଜ ଜିଲ୍ଲା ପାଇଁ ସମୁଦାୟ ୪୦ଗୋଟି ପେଟ୍ରୋଲିଂ ଭ୍ୟାନ ପ୍ରଦାନ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ବନାଗ୍ନି ନିୟନ୍ତ୍ରଣ ପାଇଁ ଫାୟାର ଲାଇନ ସୃଷ୍ଟି କରିବା ନିମନ୍ତେ ମୋଟ ୭୩୩ଗୋଟି ଏୟାର ବ୍ଳୟର ମେସିନ ପ୍ରଦାନ କରାଯାଇଛି। ସେଥି ମଧ୍ୟରେ ବାରିପଦା ବନଖଣ୍ଡ ପାଇଁ ୧୦୬, ରାଇରଙ୍ଗପୁର ପାଇଁ ୧୧୨, କରଞ୍ଜିଆ ପାଇଁ ୧୦୬, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଡିଭିଜନ ୧୯୨, ଦକ୍ଷିଣ ଡିଭିଜନ ୨୧୭ ଗୋଟି ଫାୟାର ବ୍ଳୟର ରହିଛି। ଯାହାକି ଦେଶରେ ସର୍ବାଧିକ । ଏଥି ସହିତ ଅଗ୍ନି ନିର୍ବାପକ ଯନ୍ତ୍ର, ନୂତନ କର୍ମଚାରୀ ନିଯୁକ୍ତ, ସତନ୍ତ୍ର ଜୋତା ଓ ପୋଷାକ ପ୍ରଦାନ କରିବା ଏବଂ ବନାଗ୍ନି ରୋକିବା ନେଇ ପ୍ରତି ରେଞ୍ଜରେ ମକଡ୍ରିଲ କରାଯାଉଛି।

Leave A Reply

Your email address will not be published.